ଯାଞ୍ଚ ବେଳେ ହେଲମେଟ ନପିନ୍ଧିଥିବା ପୁଲିସବାବାକୁଙ୍କୁ ସହକର୍ମୀ ଖସାଇ ଦେଇଥିଲେ, ଲୋକେ କିନ୍ତୁ ଧରାଇ ଦେଲେ ପୁଲିସବାବୁଙ୍କୁ ଗଣିବାକୁ ପଡ଼ିଲା ୧୦୦ଟଙ୍କା ଜରିମାନା

ସମ୍ବଲପୁର: ଗାଡ଼ି ଚଳାଇବା ସମୟରେ ସଡ଼କ ନିୟମ ଉଲଘଂନ କଲେ ପୁଲିସବାବୁମାନେ ଚାଳକଙ୍କଠାରୁ ଜରିମାନା ଆଦାୟ କରି ଥାଆନ୍ତି। କିନ୍ତୁ ସମ୍ପ୍ରତି ହେଲମେଟ୍‌ ନପିନ୍ଧି ଥିବାରୁ ଜଣେ ପୁଲିସବାବୁ ୧୦୦ ଟଙ୍କା ଜରିମାନା ଦେଇଥିବାର ଘଟଣା ସାମ୍ନାକୁ ଆସିଛି।

ଏଭଳି ଏକ ଘଟଣା ସମ୍ବଲପୁର ଅଇଁଠାପାଲି ଛକରେ ଶୁକ୍ରବାର ଘଟିଛି। ଗତକାଲି ପୁଲିସ ପକ୍ଷରୁ ହେଲମେଟ୍‌ ଯାଞ୍ଚ କରାଯାଉଥିଲା । ଏହି ସମୟରେ ପୁଲିସ ବାବୁ ଜଣକ ବିନା ହେଲମେଟରେ ଆସୁଥିଲେ ଓ ଯାଞ୍ଚରେ ଫସି ଯାଇଥିଲେ। ତେବେ ଯାଞ୍ଚ କରୁଥିବା ପୁଲିସବାବୁ ତାଙ୍କୁ ଛାଡ଼ି ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଏହି ଦୃଶ୍ୟକୁ ମୋବାଇଲ କ୍ୟାମେରାରେ କୈଦ୍‌ କରି ନେଇଥିଲେ ଏବଂ ସୋସିଆଲ ମିଡିଆରେ ଛାଡି ଦେଇଥିଲେ ।

ଏହି ଭିଡିଓଟି ଭାଇରାଲ ହେବାପରେ ପୁଲିସ ପକ୍ଷପାତିତା ବିରୋଧରେ ଅନେକ କମେଣ୍ଟ ସୋସିଆଲ ମିଡିଆରେ ଆସିଥିଲା। ଶେଷରେ ଏହି ଖବର ଓ ଭିଡିଓ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ହେଲମେଟ୍‌ ନପିନ୍ଧି ଛାଡ ପାଇଥିବା ପୁଲିସ ବାବୁଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ଏସପି ସଞ୍ଜିବ ଆରୋରା ସୂଚନା ଦେଇଛନ୍ତି ।

 

 

ସମ୍ବନ୍ଧିତ ଖବର