ଜଳେଶ୍ୱର: ପାଣି ମଡ଼ାଇବାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ

ଜଳେଶ୍ୱର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ହରିଣଗୁଣ୍ଡି ଗାଁରେ ଚାଷ ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଡବଲ ମର୍ଡର ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଗ୍ରାମର ଶହଶହ ଲୋକ ଅଭିଯୁକ୍ତଙ୍କ ଘରକୁ ଘେରାଉ କରି ରଖଥିଲେ। ପରେ ଅଭିଯୁକ୍ତିର ଘରେ ଲୋକେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି।


ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚାଷ ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ହରିଣଗୁଣ୍ଡି ଗ୍ରାମର ନାରାୟଣ ଗିରି ଓ ମଧୁସୁଦନ ଗିରି ନାମକ ଦୁଇ ଭାଇଙ୍କ ସହିତ ଗ୍ରାମର ଦୁର୍ଗାଶଙ୍କର ଦାଶଙ୍କର ବିବାଦ ଥିଲା। ଆଜି ଏହାକୁ ନେଇ ପାଟିତୁଣ୍ଡ ହେବା ବଳେ ହଠାତ ଦୁର୍ଗାଶଙ୍କରଙ୍କ ଜଣେ ସମ୍ପର୍କୀୟ ଦୁର୍ଗାଶଙ୍କରଙ୍କ ହାତକୁ ଏକ ଭୁଜାଲି ବଢ଼ାଇ ଦେଇଥିଲେ। ଫଳରେ ଦୁର୍ଗାଶଙ୍କର ଏହି ଭୁଜାଲିରେ ଉଭୟ ନାରାୟଣ ଓ ମଧୁସୁଦନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ଦୁର୍ଗାଶଙ୍କରଙ୍କୁ ଥାନାକୁ ନେଇ ଅଟକ ରଖିଛି। ତେବେ ଏହି ସମୟ ମଧ୍ୟରେ ଉତ୍ତ୍ୟକ୍ତ ଲୋକେ ଦୁର୍ଗାଶଙ୍କରଙ୍କ ଘରେ ନିଆଁ ଲଗାଇଦେଇଛନ୍ତି।

ସମ୍ବନ୍ଧିତ ଖବର