ବାଙ୍ଗିରିପୋଷି ଓ ବୁଢାମରା ରେଳଷ୍ଟେସନ ପରିଦର୍ଶନ କଲେ ଡିଆରଏମ

ବାଙ୍ଗିରିପୋଷି-ଗୋରୁମହିଷାଣି ସହିତ ସଂଯୋଗ ଖୁବ୍‌ ଶୀଘ୍ର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଓ ବୁଢ଼ାମରା ରେଳଷ୍ଟେସନକୁ ଖଡକପୁର ଡିଆରଏମ କେ.ଆର. ରେଡ୍ଡି ସହିତ ୨୦ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଡିଆରଏମ୍‌ ଶ୍ରୀ ରେଡ୍ଡି ରେଳ ବିଭାଗ ଦ୍ଵାରା ନିର୍ମିତ ହେଉଥିବା ଷ୍ଟାଫ୍‌ କ୍ୱାଟର, ଟିକେଟ୍‌ ବୁକିଂଗ କାଉଣ୍ଟର , ପ୍ରତୀକ୍ଷାଳୟ ଓ ଷ୍ଟେସନ ପରିସର ବୁଲିବା ସହିତ ରେଳ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ନଅ ଦଫା ଦାବି ପତ୍ର ଗ୍ରହଣ କରିଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ ଡିଆରଏମ୍‌ ବୁଡାମରା-ଚାକୁଳିଆ ରାସ୍ତା ତ୍ୱରାନ୍ଵିତ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ବାଙ୍ଗିରିପୋଷି-ଗୋରୁମହିଷାଣିର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଛନ୍ତି। ଡିଓଏମ ବିନୀତ କୁମାର ଗୁପ୍ତା, ଡିସିଏମ ଏକେ ଚୌଧୁରୀ, ଡିଇଏନ ଏମଡି ଓ୍ଵାସିମ୍‌, ଡିଏସଟିଇ ହେମରାଜ ମିନା, ଡିଏସଓ ବିନିତ ପ୍ରସାଦ, ଡିଏମଇ ସଂଜୟ ବୈଷ୍ଣବଙ୍କ ସହିତ ବିଭାଗୀୟ ଅଧିକାରୀ, ବାଙ୍ଗିରିପୋଷି ଷ୍ଟେସନ ମାଷ୍ଟର ଜୟକୃଷ୍ଣ ଦାସ, ଷ୍ଟେସନ ଅଧିକ୍ଷକ ଅମୂଲ୍ୟ କୁମାର ଦାଶ, ରେଳ କ୍ରିୟାନୁଷ୍ଠାନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଡିଆରଏମ ବାଙ୍ଗିରିପୋଷି-ରୁପସା ମଧ୍ୟ ରହୁଥିବା ସମସ୍ତ ଷ୍ଟେସନ ପରିଦର୍ଶନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର