ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକାଙ୍କ ସଲିଳ ସମାଧି

ଗଞ୍ଜାମ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ପେଣ୍ଡୁରାପଲ୍ଲି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ମଧ୍ୟରୁ ଜଣେ ଗୋବିନ୍ଦ ପ୍ରଧାନଙ୍କ ଝିଅ ବିମଳା ପ୍ରଧାନ ଓ ଅନ୍ୟ ଜଣେ ସନ୍ତୋଷ ଦଳାଇଙ୍କ ଝିଅ ଗାୟତ୍ରୀ ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତ ଗାୟତ୍ରୀ ପେଣ୍ଡୁରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ଥିବା ବେଳେ ବିମଳା ଲଙ୍ଗଳେଶ୍ୱର ଏମ୍‌ ଇ ସ୍କୁଲର ୭ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଜି ଅପରାହ୍ନରେ ଦୁହେଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ଗ୍ରାମର କିଛି ଯୁବକ ଦୁଇ ନାବାଳିକାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଏହି ଘଟଣାକୁ ନେଇ ଭେଜିପୁଟ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର