ବୌଦ୍ଧ: ଓଲଟି ପଡ଼ିଲା ବୋଲେରୋ, କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ, ୨ ଗୁରୁତର

ବୌଦ୍ଧ: ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ କର୍ମକ୍ଷେତ୍ର ବୌଦ୍ଧକୁ ବିଳମ୍ବିତ ରାତିରେ ଫେରୁଥିବା ବୌଦ୍ଧ ଉପ କୃଷି ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶ୍ରୀ ମଲ୍ଲିକ ଯେଉଁ ସରକାରୀ ବୋଲେରୋରେ ବୌଦ୍ଧକୁ ଫେରୁଥିଲେ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ବୌଦ୍ଧ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଉପ କୃଷି ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକ ଗତ ବୁଧବାର ଦିନ ଭୁବନେଶ୍ୱରରେ କାଳିଆ ଯୋଜନାର ସମୀକ୍ଷା କାର୍ଯ୍ୟରେ ଯୋଗ ଦେବାକ ଆସିଥିଲେ। ତେବେ ଆଜି ଏକ ଭିଡ଼ିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମ ଥିବାରୁ ଶ୍ରୀ ମଲ୍ଲିକ ଗତକାଲି ରାତିରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବୌଦ୍ଧ ଫେରୁଥିଲେ। ତାଙ୍କସହିତ ବୋଲେରୋ ଡ୍ରାଇଭର ଓ ଚକ୍ରଧର ପାତ୍ର ନାମକ ଅନ୍ୟ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ତେବେ ସେମାନେ ବୌଦ୍ଧ ସଦର ମହକୁମା ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ୫୭ ନମ୍ବର ଜାତୀୟ ରାଜପଥର ରାଧାନଗର ଗାଁ ନିକଟରେ ଯାଉଥିବା ବେଳେ ଡ୍ରେଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବୋଲେରୋଟି ରାସ୍ଥା ତଳକୁ ଓଲଟି ପଡ଼ିଥିଲା। ଏଥିରେ ଚାପି ହୋଇ ଶ୍ରୀ ମଲ୍ଲିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଓ ଶ୍ରୀ ପାତ୍ର ଗୁରୁତର ଅବସ୍ଥାରେ ବୋଲେରୋ ଭିତରେ ଚାପି ହୋଇଥିବା ବେଳେ ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ଗାଡ଼ି କାଟି ସେମାନଙ୍କୁ ଉଦ୍ଧାର କରିଛନ୍ତି। ମୃତ ଶ୍ରୀ ମଲ୍ଲିକଙ୍କ ଘର କଟକ ହୋଇଥିବାରୁ ତାଙ୍କ ପରିବାରକୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର