ଅ, ଆ ଜାଣି ନ ଥିବା ଗାଁ ଶୁକରିଗୁଡା, ଗାଁରେ ସମସ୍ତେ ନିରକ୍ଷର

ନାହିଁ ଅଙ୍ଗନବାଡି କେନ୍ଦ୍ର, ୩ କିମି ଦୂରରେ ବିଦ୍ୟାଳୟ

କୋରାପୁଟ: କୃଷ୍ଣ ପାଙ୍ଗୀଙ୍କର ବୟସ ୧୨ ଟପିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସେ ବିଦ୍ୟାଳୟ ହତା ମାଡି ନାହାନ୍ତି। ଲେଖିବା, ପଢିବା ଦୂରର କଥା, ନିଜ ଦସ୍ତଖତ ବି କରି ପାରୁ ନାହାନ୍ତି ଏହି ବାଳକ। ପୁଣି ସିଏ ଏକା ନୁହଁନ୍ତି, ତାଙ୍କ ଗାଁର ସମସ୍ତ ପିଲାଙ୍କ ଅବସ୍ଥା ସମାନ। କେହି ବି ପାଠ ପଢି ନାହାନ୍ତି କି ପଢୁ ନାହାନ୍ତି। ଏମିତି ନିରକ୍ଷର ଲୋକଙ୍କ ଗାଁ ହେଉଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଶୁକରିଗୁଡା ଗ୍ରାମ। ଗ୍ରାମରେ ପାଖାପାଖି ୨୪ ପରିବାର ରହୁଥିଲା ବେଳେ କେହି ବିଦ୍ୟାଳୟ ବାରଣ୍ଡା ଦେଖିବାର ସୁଯୋଗ ପାଇ ନାହାନ୍ତି। ଗାଁରେ ଅଙ୍ଗନବାଡି କେନ୍ଦ୍ର ନ ଥିଲା ବେଳେ ଗାଁରୁ ୩ କିମି ଦୂରରେ ବିଦ୍ୟାଳୟ ରହିଛି। ଫଳରେ ଇଛା ଥାଇ ବି ପାଠ ପଢିବାରୁ ବଂଚିତ ହେଉଛନ୍ତି ଗାଁର କୋମଳମତି ପିଲା। ଅପରପକ୍ଷରେ ଗାଁରେ କେବଳ ଏକ ବିଦ୍ୟାଳୟ କୋଠା କରି ନିଜ କାମ ସାରି ଦେଇଛି ପ୍ରଶାସନ। ଆଉ ଏହି କୋଠା ଏବେ ବିହାରି ଠିକାଦାରଙ୍କ ଗୋଦାମ ଘର ପାଲଟିଛି।

ଆଦିବାସୀ ବହୁଳ ‌କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକରେ ଥିବା ଶୁକରିଗୁଡା ଗ୍ରାମକୁ ରାସ୍ତା ଯୋଗାଯୋଗ ରହିଛି। ବିଜୁଳି ବି ଯାଇଛି। କିନ୍ତୁ ରାସ୍ତା କଡରେ ଥିବା ଏହି ଗାଁକୁ ଶିକ୍ଷାର ଆଲୋକ ପହଞ୍ଚି ପାରିନି। ଏବେ ବି ଗାଁରେ ଥିବା ପିଲାମାନେ ସକାଳୁ ଉଠି ବିଦ୍ୟାଳୟକୁ ନ ଯାଇ ଜଙ୍ଗଲକୁ ଯାଇଥାନ୍ତି। ଜଙ୍ଗଲରୁ କିଛି ପିଲା କାଠକୁଟା ସଂଗ୍ରହ କରୁଥିଲାବେଳେ ଆଉ କେତେକଙ୍କର ସାନ ଭାଇ, ଭଉଣୀଙ୍କୁ ଦେଖାଶୁଣା କରିବାରେ ସମୟ ବିତେ। ଦିନ ତମାମ ଖେଳାବୁଲା ଓ କାମଧନ୍ଦା ଭିତରେ ଜୀବନ କାଟୁଥିବା ଏହି ଗାଁର ପିଲାମାନେ ଜାଣି ନାହାନ୍ତି ବିଦ୍ୟାଳୟ ଜୀବନ କ’ଣ ଓ କେମିତି। କାରଣ ଏମାନେ ଜୀବନରେ କେବେ ବି ବିଦ୍ୟାଳୟ ଯାଇ ନାହାନ୍ତି କି ଯିବାର ସମ୍ଭାବନା ବି ନାହିଁ। ବାପ-ଅଜା ଅମଳରୁ ବି କେହି କେବେ ପାଠଶାଠ ପଢି ନାହାନ୍ତି। ଗାଁରେ ସମସ୍ତେ ନିରକ୍ଷର ହୋଇଥିଲାବେଳେ କାମଧନ୍ଧା କରି ଜୀବନ କାଟୁଛନ୍ତି। ଗାଁର କିଛି ଯୁବକ ସହରକୁ ଯାଇ କାମ ମଧ୍ୟ କରୁଛନ୍ତି। କିନ୍ତୁ କେହି ଅ, ଆ ଜାଣି ନାହାନ୍ତି। ଛୋଟମୋଟ ହିସାବ ବି ଶିଖି ନାହାନ୍ତି।

ଶୁକରିଗୁଡା ଗ୍ରାମରେ ୨୪ଟି ପରିବାର ରହୁଥିଲାବେଳେ ଏହି ଗ୍ରାମର ପିଲାମାନଙ୍କର ବି ଅନ୍ୟମାନଙ୍କ ପରି ପଢିବାର ଇଛା ରହିଛି। ଦୁଇ ଅକ୍ଷର ପାଠ ପଢି ଆଗକୁ ବଢିବାର ସ୍ବପ୍ନ ବି ଦେଖିଛନ୍ତି। କିନ୍ତୁ ଗାଁରେ ବିଦ୍ୟାଳୟ ନ ଥିବାରୁ ସବୁ ସ୍ବପ୍ନ ଅକାଳରେ ମଉଳି ଯାଇଛି। ଗାଁରେ ବିଦ୍ୟାଳୟ ନ ଥିଲାବେଳେ ଗାଁଠାରୁ ୩ କିମି ଦୂରରେ ମିଳୁଛି ପ୍ରାଥମିକ ଶିକ୍ଷା। ତେଣୁ ଗାଁରୁ ଏତେ ଦୂର ଯାଇ ପାଠ ପଢିବାରେ ସମସ୍ୟା ହେଉଛି। ଅପରପକ୍ଷରେ ଗାଁରେ ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ପିଲାଙ୍କୁ ପ୍ରାକ-ପ୍ରାଥମିକ ଶିକ୍ଷା ବି ମିଳି ପାରୁନି। ଏବେ ଗ୍ରାମରେ ୨୦ରୁ ୩୦ ଜଣ ସ୍କୁଲ ଗଲା ଭଳିଆ ପିଲା ରହିଥିଲାବେଳେ ଏମାନଙ୍କ ଭବିଷ୍ୟତ ଅଧା ଅନ୍ଧାରକୁ ଚାଲିଗଲାଣି। ଏଥିନେଇ ପ୍ରଶାସନ ପାଖରେ ଖବର ମଧ୍ୟ ଅଛି। କିନ୍ତୁ କିଛି ଠୋସ ପଦକ୍ଷେପ ନିଆଯାଇନି। ଗ୍ରାମରେ ଏକ ବିଦ୍ୟାଳୟ କରିବା ପାଇଁ ବାରମ୍ବାର ଦାବି ହେଲା ପରେ ଗ୍ରାମରେ ଏକ ବିଦ୍ୟାଳୟ କୋଠା ନିର୍ମାଣ କରାଯାଇଥିଲା। କିନ୍ତୁ ଏହା ବ୍ୟବହାର ହେବା ପୂର୍ବରୁ ବନ୍ଦ ହୋଇ ପଡିଛି। ଅଂଚଳରେ ରାସ୍ତା କାମ କରୁଥିବା ଠିକାଦାରମାନେ ଏଥିରେ ସିମେଣ୍ଟ ରଖିବା ସହ ଗୋଦାମ ଗୃହ କରି ଦେଇଛନ୍ତି।

ଗାଁର କାନ୍ଦରା ଖିଲଙ୍କ କହିବାନୁଯାୟୀ, ଏଠାରେ ବିଦ୍ୟାଳୟ ନ ଥିବାରୁ ଗାଁର କେହି ପଢି ପାରୁ ନାହାନ୍ତି। ଗାଁରେ ବିଦ୍ୟାଳୟ କରିବା ପାଇଁ ଗୁହାରି କରି କରି ଥକି ଗଲୁଣି। କିନ୍ତୁ କେହି ଶୁଣୁ ନାହାନ୍ତି। ବିଦ୍ୟାଳୟ ପାଇଁ କୋଠା କରି ଦିଆଯାଇଥିଲାବେଳେ ଏହା ଠିକାଦାରଙ୍କ ଗୋଦାମଗୃହ ପାଲଟିଛି। ଗାଁରୁ ୨ କିମି ଦୂରରେ ଅଙ୍ଗନବାଡି ଘର ରହିଛି। ଲୋକଙ୍କର ପଇସାପତ୍ର ନ ଥିବାରୁ ବାହାରକୁ ପଢାଇବା ପାଇଁ ପଠାଇ ପାରୁନୁ ବୋଲି ସେ କହିଛନ୍ତି। ଏ ସଂପର୍କରେ ବୈପାରୀଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ  ସୁଧୀର ଚନ୍ଦ୍ର ରଥ କହିଛନ୍ତି ଯେ, ଗାଁରେ ତିଆରି ହୋଇଥିବା ବିଦ୍ୟାଳୟ କୋଠା ଏ ପର୍ଯ୍ୟନ୍ତ ବିଭାଗକୁ ହସ୍ତାନ୍ତର ହୋଇନି। ତେଣୁ ପିଲାଙ୍କୁ ପାଖ ବିଦ୍ୟାଳୟରେ ପଢାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଅପରପକ୍ଷରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି ଏଥିନେଇ ତାଙ୍କ ପାଖରେ ଖବର ନ ଥିଲା। ସେ ଏହାର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର