ଉଦାହରଣ ସାଜିଛି ମହାଦେଇପୁଟ ଆଶ୍ରମ ବିଦ୍ୟାଳୟ, ନାଚଗୀତ‌ ଓ ଖେଳକୁଦ ମାଧ୍ୟମରେ ଶିକ୍ଷା

ହସ୍ତଶିଳ୍ପ ପ୍ରସ୍ତୁତି ଦେଇ ଦିଆଯାଉଛି ଶିକ୍ଷା, ଛାତ୍ରଛାତ୍ରୀ କରୁଛନ୍ତି ଯୋଗ-ପ୍ରାଣାୟମ

କୋରାପୁଟ(ପତିତପାବନ ସାହୁ): ନାଚ‌ଗୀତ ହେଉଛି। ଏହା ଭିତରେ ବି ଚାଲିଛି ପାଠପଢା। ନାଚି ଖେଳି ପିଲାମାନେ ପଢୁଛନ୍ତି, ବଢୁଛନ୍ତି। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି କୋରାପୁଟ ସହର ନିକଟସ୍ଥ ମହାଦେଇପୁଟ ଆଶ୍ରମ ବିଦ୍ୟାଳୟରେ। ନୃତ୍ୟଗୀତ, ଖେଳକୁଦ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢାଇ ଏକ ସୁସ୍ଥ ଉଦାହରଣ ସୃଷ୍ଟି କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଖାଲି ଏତିକି ନୁହେଁ, ବିଦ୍ୟାଳୟରେ ପିଲାମାନଙ୍କୁ ‌‌ଯୋଗ ଶିକ୍ଷା ଦିଆଯିବା ସହ ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତି ନେଇ ତାଲିମ ଦିଆଯାଉଛି। ପାଠପଢା ପ୍ରତି ପିଲାମାନଙ୍କ ଆଗ୍ରହ ବଢାଇବାରେ ଏହି ପ୍ରୟାସ ସଫଳ ହେଉଥିଲାବେଳେ ସେମାନଙ୍କୁ ମାନସିକ ଓ ଶାରିରୀକ ସୁସ୍ଥ ରଖିବାରେ ବି ସହାୟକ ହେଉଛି।

କୋରାପୁଟ ବ୍ଲକ ମହାଦେଇପୁଟଠାରେ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଏକ ଆଶ୍ରମ ବିଦ୍ୟାଳୟ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏଠାରେ ପଢା ହେଉଥିଲାବେଳେ ଏବେ ୨୭୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଅନ୍ୟ ବିଦ୍ୟାଳୟ ପ‌ରି ଏହା ଏକ ସାଧାରଣ ବିଦ୍ୟାଳୟ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ଅଭିନବ ଉପାୟରେ ଶିକ୍ଷା ପ୍ରଦାନକୁ ନେଇ ଏବେ ଏହା ଚର୍ଚ୍ଚାରେ। ପାଠପଢାକୁ ନେଇ ପିଲାମାନେ ଯେମିତି ଚାପଗ୍ରସ୍ତ  ନ ହେବେ ଓ ଖୁସିରେ ଖୁସିରେ ପାଠ ପଢିବେ ତାକୁ ଏଠା‌‌ରେ ଦିଆଯାଇଛି ଗୁରୁତ୍ବ। ଫଳରେ ପାଠପଢା ‌ଏବେ ପିଲାଙ୍କ ପାଇଁ ବୋଝ ନ ହୋଇ ମନୋରଂଜନର ଏକ ମାଧ୍ୟମ ପାଲଟି ଯାଇଛି। ଏହି ବିଦ୍ୟାଳୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ପିଲାମାନଙ୍କୁ କେବଳ ଗୀତ ଓ ନାଚ ମାଧ୍ୟମରେ ଶିକ୍ଷା ଦିଆଯାଉଛି। ବିଭିନ୍ନ ନାଚ ଓ ଗୀତ ମାଧ୍ୟମରେ ସଂଖ୍ୟା ଓ ଅକ୍ଷର ଶିଖୁଛନ୍ତି ଛାତ୍ରଛାତ୍ରୀ। ଏଥିପାଇଁ ପିଲାମାନଙ୍କ ଭିତରେ ଆଗ୍ରହ ବି ଜୋର। ମଜାରେ ମଜାରେ ପାଠ ପଢା ହେଉଥିବାରୁ ସେମାନେ ଖୁସି ଅଛନ୍ତି। ନିୟମିତ ଶ୍ରେଣୀକୁ ଆସିବା‌ ସହ ଆନନ୍ଦରେ ପାଠ ପଢା ପ୍ରକ୍ରିୟାରେ ସାମିଲ ହେଉଛନ୍ତି। କେବଳ ଏହି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ନୁହଁନ୍ତି, ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ନାଚଗୀତ ମାଧ୍ୟମରେ ପଣିକିଆ, ମିଶାଣ, ଫେଡାଣ ଶିକ୍ଷା ଦିଆଯାଉଛି। ସବୁଠୁ ମଜାଦାର ହେଉଛି ପଣିକିଆ ଡାକିବା। ଏକ ଗୋଲାକାର ଆକୃତିରେ ଛାତ୍ରଛାତ୍ରୀ ଠିଆ ହୋଇ ତାଳି ମାରୁଛନ୍ତି ଆଉ ପଣିକିଆ ଡାକୁଛନ୍ତି। ଆଉ ପାଳି କରି ନୃତ୍ୟ କରୁଛନ୍ତି। ଏଥିରୁ ସେମାନେ ଭରପୁର ମଜା ପାଉଛନ୍ତି। ଛାତ୍ରୀ ପ୍ରତିମା ମୁଦୁଲିଙ୍କ କହିବାନୁଯାୟୀ, ଏମିତି ପଣିକିଆ ଡାକିବା ଦ୍ବାରା ଏହା ଖୁବ ଶୀଘ୍ର ମନେ ରହି ଯାଉଛି। ଗୀତ ଗାଇବା ପରି ଆମେ ଏହାକୁ ମନେ ରଖି ପାରୁଛୁ। ପୁଣି ନ‌ାଚ କରିବା ଦ୍ବାରା ଭଲ ଲାଗୁଛି ଓ ଦେହ ଭଲ ରହୁଛି ବୋଲି ସେ କହିଛନ୍ତି।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭିତରେ ଏକାଗ୍ରତା ବଢାଇବା ପାଇଁ ନିୟମିତ ଯୋଗ ଶିକ୍ଷା ଦିଆଯାଉଛି। ‌ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ଯୋଗ ଶିଖାଉଛନ୍ତି। ଏହା ପିଲାମାନଙ୍କୁ ପାଠ ମନସ୍କ କରିବାରେ ସହାୟକ ହୋଇ ପାରୁଛି। ଏହା ସହ ସେମାନେ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହି ପାରୁଛନ୍ତି। ଏହା ସହିତ ଛାତ୍ରଛାତ୍ରୀଙ୍କୁ ସ୍ବାବଲମ୍ବୀ କରିବାର ମୂଳଦୂଆ ମଧ୍ୟ ପଡୁଛି। ଏଠାରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ପ୍ରସ୍ତୁତ ନେଇ ଶିକ୍ଷା ଦିଆଯାଉଛି। ପାପଛ, ଫୁଲଦାନୀ, କାଗଜଫୁଲ ଆଦି ଶିଖି ପିଲାମାନେ ପ୍ରସ୍ତୁତ କରୁଛନ୍ତି। ଖାଲି ସମୟରେ ଏହା ଶିଖିବା ଦ୍ବାରା ସେମାନଙ୍କ ସମୟ ଅପଚୟ ହେଉନି। ନୂଆ ନୂଆ ଜିନିଷ ଶିଖିବା‌ ପାଇଁ ଆଗ୍ରହ ବୃଦ୍ଧି ପାଉଛି। ବିଦ୍ୟାଳୟର ଛାତ୍ରୀ ଜ୍ୟୋତି ହିକକା କହିଛନ୍ତି ‌ଯେ, ସ୍କୁଲକୁ ଆସି ଆମେ ବହୁ ନୂଆ ନୂଆ କଥା ଶିଖି ପାରୁଛୁ। ପାଠପଢା ସରିବା ପରେ କାଗଜ ଫୁଲ, ଫୁଲଦାନୀ ତିଆରି କରିବା ଶିଖୁଛୁ। ଏଠାରୁ ଶିଖି ବହୁ ଜିନିଷ ନିଜେ ମଧ୍ୟ ତିଆରି କରୁଛୁ। ଏହା ଭାରି ଆନନ୍ଦ ଦେଉଛି ଓ ଭବିଷ୍ୟତରେ ଆମ କାମରେ ଆସିବ ବୋଲି ସେ କହିଛନ୍ତି।

ନିଆରା ଢଙ୍ଗରେ ପାଠପଢା ସହ ଛାତ୍ରଛାତ୍ରୀଙ୍କ ସାମ୍ରଗୀକ ବିକାଶ ଉପରେ ଗୁରୁତ୍ବ ଦେଇ ଏବେ ଚର୍ଚ୍ଚାରେ ମହାଦେଇପୁଟ ଆଶ୍ରମ ବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ସମ୍ମାନ ଦେଉଛନ୍ତି। ଆଗରୁ ବିଦ୍ୟାଳୟ ଆସିବାକୁ ଡରୁଥିବା ଛାତ୍ରଛାତ୍ରୀ ଏବେ ଭଲ ପ୍ରଦର୍ଶନ କରୁଛନ୍ତି। ଫଳରେ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ଭଲ ହେଉଛି। ଅପରପକ୍ଷରେ ଏହା ଅନ୍ୟ ବିଦ୍ୟାଳୟ ପାଇଁ ଆଦର୍ଶ ଅନୁଷ୍ଠାନ ପାଲଟିଛି। ଏଥିନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାହୁ କହିଛନ୍ତି ଯେ, ଗୀତ ନାଚ ମାଧ୍ୟମରେ ପିଲାମାନଙ୍କୁ ପଢାଇବା ଦ୍ବାରା ସେମାନେ ସହଜରେ ପାଠ ବୁଝି ପାରୁଛନ୍ତି। ଗଣିତ ଭଳି ପାଠକୁ ଗୀତରେ ଗୀତରେ ମନେ ରଖୁଛନ୍ତି। ଆଦିବାସୀ ଛାତ୍ରଛାତ୍ରୀ ନୃତ୍ୟଗୀତକୁ ଅଧିକ ଭଲ ପାଉଥିବାରୁ ଏମିତି ପନ୍ଥା ଆପଣାଯାଇଛି। ଏହ ସହିତ ଯୋଗ, ପ୍ରାଣାୟାମ କରିବା ଦ୍ବାରା ସେମାନଙ୍କ ଏକାଗ୍ରତା ବଢୁଥିଲାବେଳେ ବିଭିନ୍ନ ହସ୍ତଶିଳ୍ପ ଶିଖିବାରୁ ମନ ଭଲ ରହୁଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର