ବାଙ୍ଗିରିପୋଷି ଆସନ: ଚାଙ୍ଗୁ ନାଚ କରି ଭୋଟ ଭିକ୍ଷା କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ପ୍ରଚାର ସରଗରମ ହୋଇ ଉଠିଛି। ନିର୍ବାଚନ ମଣ୍ଡଳୀରେ ୧୧ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟକୁ ଆସନ୍ତା ୨୯ ତାରିଖ ଭୋଟର ବାଛିବେ। ସବୁଠାରୁ ମଜାଦାର କଥା ହେଲା ସମସ୍ତ ପ୍ରାର୍ଥୀ ଜିତିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ନେତାମାନେ କେହି କାହାରି ଠାରୁ ଉଣା ନାହାନ୍ତି ବୋଲି ପ୍ରମାଣ ଦେବାରେ ଲାଗିଛନ୍ତି। ଦୁଇ ଦିନ ହେଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀକୁ ବିଜେପି, ଜେଏମ୍‌ଏମ୍‌ ଓ ବିଜେଡି ଦଳ ତରଫରୁ ହେଭିୱେଟ୍‌ ନେତାଙ୍କ ସୁଅ ଛୁଟୁଛି।

ଚତୁର୍ଥ ପର୍ଯ୍ୟାୟ ପାଇଁ ଜୋରଦାର ଟକ୍କର ହେବ। ଏଥିରେ କୌଣସି ପ୍ରକାର ଦ୍ୱିଧା ନାହିଁ। ତେବେ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ନାଏକଙ୍କ ପ୍ରଚାର ଟିକିଏ ନିଆରା ଦେଖିବାକୁ ମିଳୁଛି। ପୁରୁଷୋତ୍ତମ ନିଜ ସଂସ୍କୃତିକୁ ବଂଚାଇବା ସହିତ ଗାଁ ଗାଁ ବୁଲି ଚାଙ୍ଗୁ ନାଚ କରି ଭୋଟ ଭିକ୍ଷା କରୁଛନ୍ତି। ବର୍ଷ ୨୦୧୪ ନିର୍ବାଚନରେ ପୁରୁଷୋତ୍ତମ ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ବିଜେଡିର ସୁଦାମ ମାରାଣ୍ଡିଙ୍କ ଠାରୁ ୩୦ ହଜାରରୁ ଉର୍ଦ୍ଧ ଭୋଟରେ ହାରି ଯାଇଥିଲେ ମଧ୍ୟ ଦ୍ଵିତୀୟ ସ୍ଥାନ ଅଧିକାର କରି ବିଜେପି ଦଳରେ ଦବଦବା ସୃଷ୍ଟି କରିଥିଲେ। ତେବେ ସୁଗଦା ମୁର୍ମୁଙ୍କୁ ବିଜେପି ଟିକଟ ମିଳିଲା ପରେ ନିଜକୁ ଅପମାନିତ ମନେ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ବୋଲି ପୁରୁଷୋତ୍ତମ କହିଛନ୍ତି।

ସଂକ୍ଷେପରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ

ବାଙ୍ଗିରିପୋଷି, କୁଳିଅଣା, ଶ୍ୟାମାଖୁଣ୍ଟାକୁ ନେଇ ୨୯-ବାଙ୍ଗିରିପୋଷି(ସଂ) ଆସନ ଗଠିତ। ଏହି ଆସନରେ ସମୁଦାୟ ଭୋଟର ୨,୦୨,୧୮୯ ଥିଲା ବେଳେ ସେଥି ମଧ୍ୟରୁ ୧,୦୦,୨୧୯ ମହିଳା। ମୋଟ ୨୬୧ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ପ୍ରଶାସନ ତରଫରୁ ୧୧୦ଟି ଉତ୍ତେଜନା ପ୍ରବଣ କେନ୍ଦ୍ର ଚିହ୍ନଟ କରାଯାଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ମୂଖ୍ୟତ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି

ବିଜେପି ଓ ବିଜେଡି ଦଳ ପାଇଁ ସେ କଣ୍ଟାହୋଇ ଛିଡା ହୋଇଛନ୍ତି ବୋଲି ଦୃଢକ୍ତି କରି କହିଛନ୍ତି। ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ସେ ଶୁକ୍ରବାର ତହସିଲ ଅଫିସ ଠାରୁ ବାଙ୍ଗିରିପୋଷି ବଜାର ମଧ୍ୟରେ ରାଲି କରି ତାହାର ପ୍ରମାଣ ମଧ୍ୟ ଦେଇଛନ୍ତି।

ସେହିପରି ଏସୟୁସିଆଇ ଦଳ ତରଫରୁ ଲଢୁଥିବା ବିଧାୟକ ପ୍ରାର୍ଥୀ ପିତାମ୍ବର ନାଏକ ମଧ୍ୟ ନିଜେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଭୋଟ ଭିକ୍ଷା କରୁଛନ୍ତି। ଘର ଘର ବୁଲି ଚୁଡା, ଚାଉଳ, ମୁଢୀ, ୧୦ ଟଙ୍କା ସଂଗ୍ରହ କରି ପ୍ରଚାର ଚଳାଇଛନ୍ତି। ତେବେ ଯାହା ବି ହେଉ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଜନସାଧାରଣ ଚାହିଁ ରହିଛନ୍ତି କାହା ମୁଣ୍ଡରେ ହାତୀ ସୁନାକଳଶ ଢାଳିବ।

ସମ୍ବନ୍ଧିତ ଖବର