ଦଦରା ଖୁଣ୍ଟରେ ବିଦ୍ୟୁତ ଯୋଗାଣ, ବିପଦ ଆଶଙ୍କା

ଡୁଡୁକା: ଆଗଲପୁର (ଡୁଡୁକା) ବ୍ଲକ୍‌ ସଦର ମହକୁମା ଡୁଡୁକା ଗ୍ରାମପଞ୍ଚାୟତ ଓ ଜଗନ୍ନାଥ ମନ୍ଦିର ଛକରେ ବହୁ ଦିନ ହେଲା ଥିବା ଦଦରା ବିଦ୍ୟୁତଖୁଣ୍ଟରେ ବିଦ୍ୟୁତ ଯୋଗାଣକୁ ନେଇ ସାଧାରଣରେ ଅସନ୍ତୋଷ ତେଜୁଛି। ଏହି ଦଦରା ଖୁଣ୍ଟଟି କେଉଁ ମୁହୂର୍ତ୍ତରେ ଭାଙ୍ଗିପଡ଼ି ସାଧାରଣ ଲୋକର ଜୀବନ ନେବ କହିହେବନି। ପଞ୍ଚାୟତ ଅଫିସ ଆଗରେ ଥିବା ଖୁଣ୍ଟଟି ସାଲେଭଟା-ଆଗଲପୁର ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ଲୋକ ଯିବାଆସିବା କରିଥାନ୍ତି। ଏହି ଦଦରା ବିଦ୍ୟୁତଖୁଣ୍ଟ ଉପରେ ଗ୍ରାମର ବିଦ୍ୟୁତ ସେବା ନିର୍ଭରଶୀଳ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ। ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ପୁରୁଣାଖୁଣ୍ଟଟିର ପୁନରୁଦ୍ଧାର ହୋଇପାରୁ ନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ନୂତନ ଖୁଣ୍ଟ ବସାଇବା ପାଇଁ ପଦକ୍ଷେପ ନେବାକୁ ଡୁଡୁକା ପଞ୍ଚାୟତର ସରପଞ୍ଚ ମନ୍ଦୋଦରୀ ବିଶ୍ୱାଳଙ୍କ ସମେତ ବିଭିନ୍ନ ମହଲ ଦାବି କରିଛନ୍ତି। ଏହି ଦଦରା ବିଦ୍ୟୁତଖୁଣ୍ଟକୁ ତୁରନ୍ତ ପୁନରୁଦ୍ଧାର କରାନଗଲେ ବାଧ୍ୟ ହୋଇ ଅଞ୍ଚଳବାସୀ େଓ୍ଵସ୍କୋ କାର୍ଯ୍ୟାଳୟ ଆଗରେ ଧାରଣାଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର