ବିଲରେ ଧାନ କାଟୁଥିବା ଚାଷୀଙ୍କୁ କଚାଡ଼ି ଦେଲା ହାତୀ, କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା

ଯୁଯୁମୁରା (ବିଜୟ ସ୍ୱାଇଁ): ବିଲରେ ଧାନ କାଟୁଥିବା ଚାଷୀଙ୍କୁ ହାତୀ କଚାଡ଼ି ଦେଇ ଜୀବନ ନେଇଛି। ସମ୍ବଲପୁର ଜିଲ୍ଲାର ଯୁଯୁମୁରା ସେକ୍ସନ ଅନ୍ତର୍ଗତ ଯୁଯୁମୁରା ବିଟ୍‌ର ଦାନ୍ତେରି ଗାଁରେ ଆଜି ସକାଳ ୮ଟା ୩୦ରେ ଏହିି ଲୋମହର୍ଷଣକାରୀ ଘଟଣା ଘଟିଛି। ଜଙ୍ଗଲି ହାତୀ ଧାନ ଖାଇବାକୁ ଆସି ଚାଷୀ ନୂଆଁସୁ ଡୁଙ୍ଗଡୁଙ୍ଗକୁ ମାରି ଦେଇଛି। ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ନେଇ ଲୋକେ ଭୟଭୀତ ଦେଖାଯାଇଛନ୍ତି। କାରଣ ଏବେ ଧାନ ପାକଳ ହୋଇ ଯାଇଥିବାରୁ ଅପରାହ୍‌ଣ ୪ଟା ପରେ ହାତୀମାନେ ଜଙ୍ଗଲ ଭିତରୁ ଧାନକ୍ଷେତ ଆଡ଼କୁ ଅଗ୍ରସର ହେଉଛନ୍ତି।

ସୂଚନା ଅନୁସାରେ ନୂଆଁସୁ ମଙ୍ଗଳବାର ସକାଳୁ ବିଲକୁ ଧାନ କାଟିବାକୁ ଯାଇଥିଲେ। ପୂର୍ବାହ୍‌ଣ ପ୍ରାୟ ୮ଟା ୩୦ରେ ତାଙ୍କର ସ୍ତ୍ରୀ ଦୌପଦୀ ଡୁଙ୍ଗଡୁଙ୍ଗ ବିଲକୁ ଭାତ ଖାଇବାକୁ ନେଇ ଦେଇଥିଲେ। ବିଲକୁ ପହଂଚିବା ପୂର୍ବରୁ ସେ ଏକ ହାତୀ ଛିଡ଼ା ହୋଇଥିବା ଦେଖିଥିଲେ। ସେ ଜୀବନ ବିକଳରେ ଘରକୁ ଫେରିଆସି ଘଟଣା ସଂପର୍କରେ ଗାଁ ଲୋକଙ୍କୁ ସବୁ ଘଟଣା କହିଥିଲେ।

ବିଲରେ ହାତୀ ଥିବା ଖବର ଶୁଣିବା ପରେ ଗାଁରୁ ଶତାଧିକ ଲୋକ ଘଟଣାସ୍ଥଳକୁ ଯାଇ ଦେଖିଥିଲେ। ବହୁ ସଂଖ୍ୟାରେ ଲୋକଙ୍କୁ ଦେଖି ହାତୀ ଜଙ୍ଗଲ ଭିତରକୁ ପଶି ଯାଇଥିଲା। ମାତ୍ର ଏହା ପୂର୍ବରୁ ସେ ଚାଷୀ ନୂଆଁସ ଡୁଙ୍ଗଡୁଙ୍ଗୁ ମାରି ଦେଇଥିଲା, ଯାହାର ମୃତଦେହ ବିଲରେ ପଡ଼ିଥିଲା। ଗାଁ ଲୋକେ ମୃତଦେହ ଠାବ କରିବା ପରେ ବନ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ।

ସୂଚନା ପାଇ ବନପାଳ ସୁନୀଲ ଖିଲାରୀ ଓ ଯୁଯୁମୁରା ଆଇଆଇସି ଲୋକନାଥ ସାହୁ ଘଟଣାସ୍ଥଳରେ ପହଂଚିଥିଲେ। ମାତ୍ର ସେଠାରେ ଗାଁ ଲୋକଙ୍କ ଦ୍ୱାରା ଉତ୍ତେଜନା ପ୍ରକାଶ ପାଇଥିଲା। କାରଣ ଗାଁ ଲୋକେ ହାତୀ ଉପଦ୍ରବ ନେଇ ଅନେକ ସମୟରେ ବନ ବିଭାଗକୁ ଅବଗତ କରିଥିଲେ। ସେମାନେ ମୃତଦେହ ଛାଡ଼ିବାକୁ ରାଜି ହୋଇ ନ ଥିଲେ। ଗାଁ ଲୋକଙ୍କ ଜିଦ ଥିଲା ଯେ, ଘଟଣାସ୍ଥଳକୁ ଡିଏଫଓ ଆସନ୍ତୁ ଓ ସମସ୍ୟା ସଂପର୍କରେ ଅବଗତ ହୁଅନ୍ତୁ।

ମାତ୍ର ଡିଏଫଓ ନ ଆସି ତାଙ୍କ ସ୍ଥାନରେ ସଦର ରେଞ୍ଜର ଗୌରୀଶଙ୍କର ଦାସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ ଏବଂ ବୁଧବାର ଆହୁରି ୪୦ ହଜାର ଟଙ୍କା ଚ୍ୟାକ ଆକାରରେ ଦେବେ ବୋଲି କହିଥିଲେ। ସେହିଭଳି ହାତୀ ମୃତ୍ୟୁର ତଦନ୍ତ ଶେଷ ହେଲେ ମୃତକଙ୍କ ପରିବାରକୁ ଆହୁରି ୪ ଲକ୍ଷ ଟଙ୍କା ମିଳିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ମୃତଦେହ ପୋଷ୍ଟମର୍ଟମ ପାଇଁ ବୁର୍ଲା ନିଆଯାଇଛି।

ସମ୍ବନ୍ଧିତ ଖବର