ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ମହିଳା, ଦନ୍ତା ହାତୀ ଆକ୍ରମଣରେ ଜୀବନ ଗଲା

ସମ୍ବଲପୁର/ରେଢ଼ାଖୋଲ: ହାତୀ ଓ ମଣିଷ ଲଢେଇ ଶେଷ ହେଉନି। ହାତୀମାନଙ୍କ ଉତ୍ପାତରେ ଜଙ୍ଗଲ ନିକଟରେ ରହୁଥିବା ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନେକ ମଧ୍ୟ ସେମାନଙ୍କ ମୂଲ୍ୟବାନ ଜୀବନ ହରାଉଛନ୍ତି। ଶନିବାର ରାତିରେ ଘଟିଛି ଏମିତି ଏକ ମର୍ମନ୍ତୁଦ ଘଟଣା। ଏକ ଦନ୍ତା ହାତୀ ଆକ୍ରମଣରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ରେଢ଼ାଖୋଲ ରେଂଜ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତ ହେମାମୁରା ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ହେଲେ ଗ୍ରାମର ପ୍ରଭାତି ପ୍ରଧାନ (୫୫)।

ସୂଚନା ଅନୁସାରେ ପ୍ରଭାତି ନିଜ ଚାଷ ଜମି ନିକଟରୁ କାଠ ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥଲେ। ହାତୀଟି ମହିଳାଙ୍କୁ କଚାଡ଼ି ଦଳି ଚକଟି ଦେଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବାରମ୍ବାର ଏହି ଅଞ୍ଚଳରେ ହାତୀମାନେ ଉପଦ୍ରବ କରୁଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ନିଆଯାଉ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଟ୍ରାଙ୍କୁଲାଇଜ୍‌ କରି ତୁରନ୍ତ ହାତୀକୁ ସ୍ଥାନୀୟ ଅଞ୍ଚଳରୁ ଘଉଡ଼ାଇବାକୁ ଲୁହାପଙ୍କ ସରପଞ୍ଚ ଅଶ୍ୱିନୀ ପ୍ରଧାନ ଦାବି କରିଛନ୍ତି।

ସେହିପରି ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ବନବିଭାଗ ନିକଟରେ ଦାବି କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ବନ ବିଭାଗ କି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି ବିଭିନ୍ନ ସମୟରେ ଏହି ଦନ୍ତାଟି ଏଠାରେ ଧନ ଜୀବନ ନଷ୍ଟ କରୁଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର