ବନ୍ଦାଳୋ ପଂଚାୟତ ଦୁର୍ନୀତିକୁ ନେଇ ପ୍ରଶାସନର ୫-ଟି ଛାଟ, ଅଭିଯୁକ୍ତ ଯନ୍ତ୍ରୀ ନିଲମ୍ବିତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ବନ୍ଦାଳୋ ପଂଚାୟତରେ ଅଧକୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ତଦନ୍ତ ଉପରେ ବୁଧବାର ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଥମେ ବ୍ଲକ୍‌ ଓ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଂଚାୟତର ବିଭିନ୍ନ ପ୍ରକଳ୍ପକୁ ନେଇ ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଆଜି ଜିଲ୍ଲାପାଳ ରଂଜନ କୁମାର ଦାସ ପଂଚାୟତ ଦାୟୀତ୍ୱରେ ଥିବା ଯନ୍ତ୍ରୀ ନଳନିକାନ୍ତ ଚନ୍ଦ୍ରଙ୍କୁ ନିଲମ୍ବନ କରିଥିବା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି।

ତେବେ ଏବେ ମଧ୍ୟ ପଂଚାୟତରେ ହୋଇଥିବା ବହୁ ପ୍ରକଳ୍ପ ଗୁଡିକର ତଦନ୍ତ କରାଯିବା ସହିତ ପଂଚାୟତ କାର୍ଯ୍ୟାଳୟର ବହୁ ନଥିପତ୍ର ଯାଂଚ କରାଯିବା ବାକି ଥିବା ପିଡି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏବେ ପ୍ରାଥମିକ ପର୍ଯ୍ୟାୟରେ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତଦନ୍ତ ସମାପ୍ତ ହେବାପରେ ଦୁର୍ନୀତିରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ଆଜି ଶ୍ରୀ ଚନ୍ଦ୍ରଙ୍କ ନିଲମ୍ବନ ପରେ ବ୍ଲକର ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ଏବେ ୫-ଟିର ଭୟ ଘାରିଛି, ଯାହାକୁ ନେଇ ଅନ୍ୟ କିଛି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ କର୍ମଚାରୀ ଏବେ ଜିଲ୍ଲା କାର୍ଯ୍ୟାଳୟରେ ଅଧିଆ ପଡିଥିବାର ଜଣାପଡିଛି। ବନ୍ଦାଳୋ ପରି କୋରେଇ ବ୍ଲକ୍‌ର ସାଦକପୁର, ବଡ଼ବିରୁହାଁ, ମୂଳାପାଳ ଆଦି ବହୁ ପଂଚାୟତରେ ଦୁର୍ନୀତି ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନ ଭୟରେ କୋରେଇ ବ୍ଲକ୍‌ ପ୍ରଶାସନରେ ଭାଳେଣି ପଡିଛି।

ସମ୍ବନ୍ଧିତ ଖବର