ଲକ୍‌ଡାଉନ୍‌ ଆଣି ଦେଇଛି ପରିବଶେରେ ସ୍ୱଚ୍ଛତା, ଶିଳ୍ପନଗରୀ ଆକାଶରେ ପକ୍ଷୀ

ଝାରସୁଗୁଡ଼ା: ପ୍ରକୃତି କୋଳରେ ମଣିଷ ସହିତ ଅଗଣିତ ପଶୁପକ୍ଷୀ, କୀଟପତଙ୍ଗ ବିଭିନ୍ନ ପ୍ରଜାତିର ଜୀବ ବସବାସ କରିଥାନ୍ତି । ପ୍ରାକୃତିକ ପରିବେଶରେ ଋତୁ ଅନୁଯାୟୀ ଫୁଲଫଳ ଗଛଲତା ସୃଷ୍ଟି ହେଉଥିବା ବେଳେ ତା’ସହିତ ଜୀବ ଜଗତ ମଧ୍ୟ ନିର୍ଭର କରିଥାଏ । ମାତ୍ର ପରିବେଶ ସନ୍ତୁଳନ ହରାଇଲେ ଜୀବ ଜଗତ ବଞ୍ଚି ରହିବା କଷ୍ଟକର ହୋଇ ପଡେ ।  ଝାରସୁଗୁଡ଼ା ଜିଲ୍ଲାରେ ଦ୍ରୁତ ଗତିରେ ଶିଳ୍ପ ବୃଦ୍ଧି ପାଇବା ପରେ ପ୍ରଦୂଷଣ ମଧୢ ସେହି ଅନୁପାତରେ ବୃଦ୍ଧି ପାଉଛି ।

ସହରରେ ହଜାର ହଜାର ଯାନବାହାନ ଚଳାଚଳ ସାଙ୍ଗକୁ ଟ୍ରେନ୍‌ ଲାଇନ୍‌ ସଂପ୍ରସାରଣ ପରେ ଶହ ଶହ କୋଇଲା ବୋଝେଇ ମାଲଗାଡ଼ି ଚଳାଚଳ, ଆକାଶରେ ବିମାନ ଚଳାଚଳ ପରିବେଶକୁ ଅନେକ ମାତ୍ରାରେ ପ୍ରଭାବିତ କରି ଆସୁଥିଲା। ଫଳସ୍ବରୂପ ଦୀର୍ଘ ବର୍ଷରୁ  ଝାରସୁଗୁଡ଼ା ଆକାଶରୁ ପକ୍ଷୀ ମାନେ ଉଭେଇ ଯାଇଥିଲେ। ଆକାଶରେ ପକ୍ଷୀ ଉଡ଼ିବା କିମ୍ବା ସକାଳ ହେଲେ ପକ୍ଷୀମାନଙ୍କ ରାବ ଶୁଣିବା ଯେପରି ଏଠିକାର ଲୋକେ ସଂପୂର୍ଣ୍ଣ ଭୁଲି ଯାଇଥିଲେ। ଝାରସୁଗୁଡ଼ାରେ ଶୁଭୁନଥିଲା  ପକ୍ଷୀଙ୍କ କିଚିରମିଚିର ଶବ୍ଦ।

କଳକାରଖାନାରୁ ଚିମିନି ଦ୍ବାରା ନିର୍ଗତ ବିଷାକ୍ତ କଳା ଧୂଆଁ ପକ୍ଷୀ ବ˚ଶକୁ ଅଚିରେ ଧ୍ବସ˚ କରି ଦେଇଥିବା ପରିବେଶବିତ୍‌ ମାନେ ମତବ୍ୟକ୍ତ କରିଥିଲେ।  ମାତ୍ର ମହାମାରୀ କରୋନା ପାଇଁ ଝାରସୁଗୁଡ଼ା ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହୋଇଥିବା ବେଳେ ସାରା ଜିଲ୍ଲାରେ ଗତ ମାସ ୨୨ ତାରିଖ ଠାରୁ ଆଉ କୌଣସି ଗାଡ଼ିମଟର ଚାଲୁନାହିଁ। ଜିଲ୍ଲାରେ ଥିବା ଅନେକ ଶିଳ୍ପ କାରଖାନା ଏବେ ବନ୍ଦ ଥିବା ବେଳେ କିଛି ଶିଳ୍ପ କାରଖାନାର ଅନେକ ୟୁନିଟ ବନ୍ଦ ଅଛି। କରୋନା ମୁକାବିଲା ପାଇଁ ଏହି ବନ୍ଦ ଏକମାତ୍ର ଉପାୟ ହୋଇଥିବା ବେଳେ ବନ୍ଦ ସମୟରେ ଅନେକ ଅର୍ଥନୈତିକ କ୍ଷତି ଘଟି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏହା ଅନେକ ମାତ୍ରାରେ ପ୍ରଭାବିତ କରୁଛି । ତାସତ୍ତ୍ବେ ଏହି ବନ୍ଦ ଜିଲ୍ଲାର ପରିବେଶରେ ଅନେକ ଉନ୍ନତି ଆଣି ଦେଇଛି । ଯାହା କଳନା କରିବା ସହଜ ନୁହେଁ।

ପରିବଶେରେ ଉନ୍ନତି ଆସିଥିବା ବେଳେ ଏହା ଜୀବ ଜଗତର ଅନେକ ଉପକାରରେ ଅସିଛି।  କୋଳାହଳ ଭରା ସହର ଆଜି ନିସ୍ତବ୍ଧ ହୋଇଯାଇଥିବା କାରଣରୁ ଏବେ ଧୀରେ ଧୀରେ ଏହି ଶିଳ୍ପନଗରୀର ଆକାଶରେ ମୁକ୍ତବାୟୁ ସାଙ୍ଗକୁ ଅନେକ ପକ୍ଷୀ ଦୃଶ୍ୟମାନ ହେବା ପରିବଶେବିତ୍‌ ମାନଙ୍କୁ ଆନନ୍ଦ ଆଣି ଦେଇଛି। ସକାଳ ପାଇଲେ ନିଦ ଭାଙ୍ଗୁଥିବା କାଉ ଏଠାରେ ଆଉ ଦେଖାଯାଉନଥିବା ବେଳେ କିଛି ଦିନ ହେଲା ସକାଳେ କାଉ ମାନଙ୍କ ରାବ ପୁଣି ଶୁଣିବାକୁ ମିଳିଲାଣି।

ସକାଳୁ ଓ ସନ୍ଧ୍ୟାରେ କିଚିର ମିଚିର କରି ଗଛଡାଳକୁ ଉଡି ଯାଉଥିବା ଘରଚଟିଆ ମଧ୍ୟ ଦୀର୍ଘ ବର୍ଷ ପରେ ଦେଖିବାକୁ ମିଳୁଛନ୍ତି। ଶହ ଶହ ପାରା ଏବେ ରାସ୍ତା ଉପରେ ଦାନା ଖାଉଥିବା ଦେଖା ଯାଉଛି। ବୃକ୍ଷଡାଳ ଓହଳରୁ ପୁଣି କୋଇଲିର ସୁମଧୂର ରାବ ଶୁଭାଯାଉଛି। କିଛି କିଛି ମଇନା ମଧ୍ୟ ଘର ଅଗଣାକୁ ଆସିବା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଭାରତର ଶହେ ପ୍ରଦୂଷଣ ସହର ମଧୢରେ ଝାରସୁଗୁଡ଼ା ସହରର ନାମ ଉଲ୍ଳେଖ କରିବା ପରେ  ପରିବେଶବିତଙ୍କ ମନରେ ଛନ୍‌କା ପଶିଥିଲା। ପକ୍ଷୀ ବ˚ଶ ନିପାତ ହେବାରେ ଶିଳ୍ପାୟନ ସହିତ ମୋବାଇଲ ଟାଵାର ଓ ଯାନବାହନରୁ ନିର୍ଗତ  ପ୍ରଦୂଷଣହିଁ ଦାୟି ବୋଲି ପୂର୍ବରୁ ବହୁ ପରିବଶେବିତ୍‌ କହି ସାରିଛନ୍ତି । ଏବେ ଲକ୍‌ଡାଉନ୍‌ ସାମୟିକ ଭାବରେ ପରିବେଶକୁ ସ୍ବଚ୍ଛ କରିଥିବା ବେଳେ ପକ୍ଷୀ ସମାଜକୁ ଆନନ୍ଦ ଦେଇଛି ସତ ମାତ୍ର ଏହି ଆନନ୍ଦ କେତେ ମାତ୍ରାରେ ଆଉ କେତେ ଦିନ ଏପରି ସୁଖ ଦେବ ତାହା ସମୟହିଁ କହିବ।

 

ସମ୍ବନ୍ଧିତ ଖବର