ପଶ୍ଚିମ ଓଡ଼ିଶାରେ ସତ ହେଲା ‘ସମ୍ବାଦ-କନକ ନ୍ୟୁଜ୍‌ ଏକ୍‌ଜିଟ୍‌ ପୋଲ୍‌’ ପୂର୍ବାନୁମାନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସତ ହୋଇଛି ‘ସମ୍ବାଦ-କନକ ନ୍ୟୁଜ୍‌ ଏକ୍‌ଜିଟ୍‌ ପୋଲ’ ପୂର୍ବାନୁମାନ। ପଶ୍ଚିମ ଓଡ଼ିଶାରେ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଲୋକସଭା ଆସନରେ ଏଥର ବିଜେପି ବିଜୟୀ ହେବ ବୋଲି ଏହି ଏକ୍‌ଜିଟ୍‌ ପୋଲ୍‌ ଫଳରୁ ସ୍ପଷ୍ଟ ସୂଚନା ମିଳିଥିଲା। ଏଥିସହ କଳାହାଣ୍ଡି ଲୋକସଭା ଆସନରେ ବି ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ଓ ଏହି ଦୁଇ ଦଳ ମଧ୍ୟରୁ କେହି ବି ଏଠାରେ ବାଜିମାତ କରିବେ ବୋଲି କୁହାଯାଇଥିଲା। ଅସଲି ଭୋଟ ଗଣତି ଫଳାଫଳ ମଧ୍ୟ ଅବିକଳ ସେଇ ଚିତ୍ର ଦେଖାଇଛି।

ସମ୍ବଲପୁର, ବରଗଡ଼ ଓ କଳାହାଣ୍ଡି ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଥିଲା। ସୁରେଶ ପୂଜାରୀଙ୍କୁ ସମ୍ବଲପୁର ପରିବର୍ତ୍ତେ ବରଗଡ଼ରୁ ପ୍ରାର୍ଥୀ କରାଯିବା ସବୁଠାରୁ ଅଧିକ ଚର୍ଚ୍ଚାର ପ୍ରସଙ୍ଗ ରହିଥିଲା। ଏହାପରେ ଏଠାରେ ଗତ ନିର୍ବାଚନର ପ୍ରାର୍ଥୀ ସୁବାସ ଚୌହାନ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେବା ପରେ ସୁରେଶଙ୍କ ବିଜୟ ନେଇ ସମସ୍ତେ ସନ୍ଦିହାନ ଥିଲେ। ତେବେ ‘ସମ୍ବାଦ କନକ ନ୍ୟୁଜ ଏକ୍‌ଜିଟ୍‌ ପୋଲ୍‌’ରେ ସେ ଜିତୁଛନ୍ତି ବୋଲି ପ୍ରକାଶ ପାଇଥିଲା।

ସେହିପରି ଦେବଗଡ଼ରେ ବିଭିନ୍ନ ପ୍ରସଙ୍ଗ ନେଇ ଚର୍ଚ୍ଚା ଓ ବିବାଦରେ ରହିଥିବା ବିଧାୟକ ନୀତେଶ ଗଙ୍ଗଦେବଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ପରେ ବି ନାନା ଆଲୋଚନା ହୋଇଥିଲା। ସେହି ସମାନ ପରିସ୍ଥିତି କଳାହାଣ୍ଡିରେ ବି ଥିଲା। ବଲାଙ୍ଗୀର ଆସନରେ ରାଜ ପରିବାର ସଦସ୍ୟ ବିଶେଷ କରି ଦିଅର ଭାଉଜଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ୱିତା ପାରମ୍ପରିକ ‘ଉନିଶ୍‌ ବିଶ୍‌’ ଅବସ୍ଥାରେ ରହିଥିଲାଯ ତେବେ ଏଠାରେ ଏଥର ଦିଅରଙ୍କୁ ପଛରେ ପକାଇ ଭାଉଜ ବାଜିମାତ କରିବେ ବୋଲି ଏକ୍‌ଜିଟ୍‌ ପୋଲ୍‌ ଫଳାଫଳରୁ ସ୍ପଷ୍ଟ ହୋଇଯାଇଥିଲାଯ ପ୍ରକୃତରେ ମଧ୍ୟ ସେଇୟା ହେଲା।

କେବଳ ଲୋକସଭା ଆସନ ନୁହେଁ, ବିଧାନସଭା ଆସନଗୁଡ଼ିକରେ ବି ଏହି ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ସତ ହୋଇଛିଯ ଏହି ଅଞ୍ଚଳର ମୋଟ ୨୮ଟି ବିଧାନସଭା ଆସନ ମଧ୍ୟରୁ କେବଳ ସମ୍ବଲପୁର, ବଲାଙ୍ଗୀର ଓ ଖରିଆରକୁ ଛାଡ଼ି ଦେଲେ ଅନ୍ୟ ସବୁ ଆସନରେ ପୂର୍ବାନୁମାନ ସଠିକ୍‌ ହୋଇଛି।

ସମ୍ବନ୍ଧିତ ଖବର