ବଲାଙ୍ଗୀର:ଟିଟିଲାଗଡ଼ ଷ୍ଟେସନରୁ ୪ଲକ୍ଷ ୬୮ ହଜାର ଜାଲ ନୋଟ୍‌ ଜବତ,ଯବାନଙ୍କୁ ଆକ୍ରମଣ କରି ଧରାପଡ଼ିଲା ଅଭିଯୁକ୍ତ,

ବଲାଙ୍ଗୀର: ବାଂଲାଦେଶରୁ ଆସୁଥିବା ଜାଲ ନୋଟ୍‌ ସ୍ଥାନୀୟ ଲୋକଙ୍କ ସହଯୋଗରେ ରାଜ୍ୟରେ କାରବାର ହେଉଛି। ଏହିପରି ଏକ ଘଟଣାରେ ଗତକାଲି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ୬୮ ହଜାର ଟଙ୍କା ମୂଲ୍ୟର ଜାଲ ନୋଟ୍‌ ଜବତ କରାଯାଇଛି। ନୋଟ୍‌୍‌ କେଉଁଠାରୁ ଆସୁଥିଲା, ଏହି ର‍୍ୟାକେଟ୍‌ ପଛରେ କେତେ ଲୋକ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ପକ୍ଷରୁ ସୂଚନା ମିଳି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ହାତିଆ- ଯଶୋବନ୍ତପୁର ଟ୍ରେନ୍‌ରେ ଜଣେ ସିଆରପିଏଫ ଯବାନ ଯାତ୍ରା କରୁଥିଲେ। ସେହି ବଗିରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଗତିବିଧି ନଇ ଯବାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେ ସମ୍ପୃକ୍ତ ଯାତ୍ରୀଙ୍କୁ ଏ ନେଇ ପଚାରିବାରୁ ହଠାତ ଯାତ୍ରୀଜଣକ ତାଙ୍କୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କୁ କାବୁ କରି ସିଆରପିଏଫ ଯବାନ ଜଣକ ଏ ନେଇ ଟିଟିଲାଗଡ଼ ଷ୍ଟେସନ ଜିଆରପିଙ୍କୁ ଯୋଗାଯୋଗ କରିଥିଲେ। ଟ୍ରେଡ଼୍‍ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ମାତ୍ରେ ଜିଆରପି ଆସି ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖିବା ସହିତ ତାଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରେ ନକଲି ୨ହଜାର ଓ ନକଲି ୫ଶହ ଟଙ୍କିଆ ବଣ୍ଡଲ ମିଳିଥିଲା। ଗଣିବାରୁ ଏହ ମୋଟ ୪ ଲକ୍ଷ ୬୮ ହଜାର ଟଙ୍କାର ଜାଲ ନୋଟ୍‌ ଥିଲା। ତେବେ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳର ବୋଲି ଜଣାପଡ଼ିଛି। ବରଗଡ଼ ଓ ଭଟଲି ଅଞ୍ଚଳରେ ଜାଲ ନୋଟ୍‌ କାରବାର ଅଧିକ ହେଉଥିବାନେଇ ପୂର୍ବରୁ ପୁଲିସ ଏଠାରେ ଚଢ଼ାଉ କରି କେତେ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ଜାଲ ନୋଟ୍‌ ଜବତ ହେବା ପରେ ପୁଲିସ ଘଟଣାର ତଦନ୍ତ ଅରମ୍ଭ କରିଛି।

ସମ୍ବନ୍ଧିତ ଖବର