ଦନ୍ତା ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍‌ ପାଟକମୁଣ୍ଡା ପଞ୍ଚାୟତ ଧକ୍ଷଙ୍ଗରୁ ମୁଣ୍ଡକ୍ଷ ଗ୍ରାମ ରାସ୍ତାରେ ମଙ୍ଗଳବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଟାଙ୍ଗିରି ପଞ୍ଚାୟତ ବାରମଞ୍ଚା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ନାୟକ (୭୦) ସାଇକେଲରେ ପାଟକୁମୁଣ୍ଡକ୍ଷ ପଞ୍ଚାୟତ ତେବୁଡ଼ ଗ୍ରାମକୁ ଯାଉଥିଲେ। ଯିବା ରାସ୍ତାରେ ଧକ୍ଷଙ୍ଗରୁମୁଣ୍ଡକ୍ଷ ଗ୍ରାମର ଆମ୍ବତୋଟାରୁ ଏକ ଦନ୍ତା ହାତୀ ବାହାରି ହୃଷୀକେଶଙ୍କୁ ଆକ୍ରମଣ କରିବା ସହ ସାଇକେଲକୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହୃଷୀକେଶଙ୍କ ମୃତ୍ୟୁ ହୋଇଥିଲ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ଛେଣ୍ଡିପଦା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ସୂଚନାଯୋଗ୍ୟ, ଛେଣ୍ଡିପଦା ରେଞ୍ଜ ଅଞ୍ଚଳରେ ଦୁଇ ଦିନ ତଳେ ଜଣେ ୫୦ ବର୍ଷିଅ ବ୍ୟକ୍ତି ପାଣ୍ଡବ ସାହୁଙ୍କୁ ହାତୀ କଚାଡ଼ି ଦେଇଥିଲା। ଘଟଣା ଦିନ ସେ ସକାଳ ୯ଟା ବେଳେ ଘରୁ ବାହାରି ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ହାତୀ ତାଙ୍କର ବାମ ଗୋଡ ଓ ଛାତି ଉପରେ ପାଦ ପକାଇ ଦେଇଥିବା ବେଳେ ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା। ଏହା ଫଳରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିଲା। ପାଣ୍ଡବଙ୍କୁ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର