ମଣ୍ଡି ଖୋଲିବା ନେଇ ବିଳମ୍ବ, ଟୋକନ ଧରି ଚାଷୀ ବୁଲୁଛି

ମଣ୍ଡି ଟ୍ୟାଗିଙ୍ଗ ପରେ ଏବେ ଚାଉଳ ଡେଲିଭରି ଫିକ୍ସିଂ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ବିଳମ୍ବ ହେଉଥିବା ବେଳେ ପ୍ରକୃତ ଚାଷୀମାନେ ଟୋକନ ଧରି ଧାନ ବିକ୍ରି କରିବା ପାଇଁ ବୁଲୁଛନ୍ତି । ଜିଲ୍ଲା ରେ ୧୩୩ଟି ଧାନମଣ୍ଡି ରୁ ଆଜି ପର୍ଯ୍ୟନ୍ତ ମାତ୍ର ୨୨ ଟି ମଣ୍ଡି ଆରମ୍ଭ ହୋଇଛି । ୧୧୧ ଟି ମଣ୍ଡି ଏପର୍ଯ୍ୟନ୍ତ ଖୋଲି ନଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଯୋଗାଣ ବିଭାଗ ପକ୍ଷରୁ ମିଲର୍ସଙ୍କ ମଣ୍ଡି ଟ୍ୟାଗିଙ୍ଗ ପାଇଁ ଦୁର୍ନୀତି ହୋଇଥିବା ବେଳେ ଏବେ ଆରଆରସି ଚାଉଳ ଯୋଗାଣ ଟାର୍ଗେଟ ରେ ମଧ୍ୟ ଫିକ୍ସିଂ ହୋଇଥିବା ଅଭିଯୋଗ ସାଧାରଣ ରେ ଆଲୋଡନ ସୃଷ୍ଟି ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ଚାଷ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୬ ଲକ୍ଷ ୨୩ ହଜାର ୫୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ରହିଛି । ଏଥି ନିମନ୍ତେ ୨୪ଲକ୍ଷ ୮୭ ହଜାର ୮୪୪ କୁଇଣ୍ଟାଲ ୬୮ କେଜି ଧାନ କିଣିବା ନିମନ୍ତେ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ଗତ ମେ ୧୦ ତାରିଖରୁ ମଣ୍ଡି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାରେ ୧୩୩ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୧୦ ଦିନ ପରେ ମାତ୍ର ୨୨ ଟି ମଣ୍ଡି ଖୋଲିଛି । ଏହି ୨୨ଟି ମଣ୍ଡିରୁ ଏପର୍ଯ୍ୟନ୍ତ ୧୩ ହଜାର ୧୨୫ କୁଇଣ୍ଟାଲ ୬୭ କେଜି ଧାନ କିଣାଯାଇଛି ।

ଜିଲ୍ଲାରେ ୬୦ ଜଣ ମିଲର୍ସ ଧାନ କିଣିବା ନିମନ୍ତେ ଚୁକ୍ତି କରିଥିବା ବେଳେ ମାତ୍ର ୩୨ ଜଣ ମିଲର୍ସ ୧୪୨ ଜଣ ଚାଷୀଙ୍କ ଠାରୁ ଧାନ କିଣିଛନ୍ତି । ମିଲର୍ସ ମାନେ ଜାଣିଶୁଣି ମଣ୍ଡି ଖୋଲିବା ନେଇ ବିଳମ୍ବ କରୁଥିବା ବେଳେ ଚାଷୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ୩୩ ହଜାର ୭୬୭ ଜଣ ଚାଷୀ ପଞ୍ଜିକୃତ କରି ଟୋକନ ପାଇଥିବା ବେଳେ ମାତ୍ର ୧୪୨ ଜଣ ଚାଷୀ ଧାନ ବିକି ଛନ୍ତି । ଅନ୍ୟ ଚାଷୀମାନେ ଧାନ ଟୋକନ ଧରି ବୁଲୁଥିବା ବେଳେ ଏପର୍ଯ୍ୟନ୍ତ ୧୧୧ ଟି ମଣ୍ଡି ଖୋଲିବା ନେଇ ବିଳମ୍ବ ହୋଇଛି । ଧାନ କିଣା ନିମନ୍ତେ ମଣ୍ଡିରେ ମିଲର୍ସଙ୍କ ଟ୍ୟାଗିଙ୍ଗ ପାଇଁ ଏକ ବଡଧରଣର କିକବ୍ୟାକ ହୋଇଥିଲା । ବର୍ତ୍ତମାନ ଯୋଗାଣ ବିଭାଗର ରାଇସ ରିଷିଭିଂ ସେଣ୍ଟର (ଆରଆରସି) କୁ ଖରିଫ ଧାନର ଚାଉଳ ପ୍ରଦାନ ନେଇ ଏକ ବଡ଼ ଧରଣର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି ।

ମିଲର୍ସମାନଙ୍କୁ ୭୦ ପ୍ରତିଶତ ଚାଉଳ ଭାରତୀୟ ଖାଦ୍ୟ ନିଗମକୁ ଓ ୩୦ ପ୍ରତିଶତ ଚାଉଳ ଆରଆରସି କୁ ପ୍ରଦାନ କରିବା ପାଇଁ ନିୟମ ରହିଛି । କିନ୍ତୁ ଯୋଗାଣ ବିଭାଗ ପକ୍ଷରୁ ଚଞ୍ଚକତା କରି ଖରିଫ ର ଚାଉଳ ଡେଲିଭରି ଟାର୍ଗେଟରେ ଏକ ବଡ଼ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯୋଗାଣ ବିଭାଗ ପକ୍ଷରୁ କେସିଙ୍ଗାର ଅର୍ଣ୍ଣପୁର୍ଣ୍ଣା ଏଗ୍ରିଭେଞ୍ଚର ପ୍ରାଇଭେଟ ଲିମିଟେଡ଼କୁ ୩୪ ପ୍ରତିଶତ , ନର୍ଲା ରୋଡ଼ କହ୍ନେୟା ଏଗ୍ରୋ ଇଣ୍ଡଷ୍ଟ୍ରିଚ କୁ ୩୩ ପ୍ରତିଶତ, କେସିଙ୍ଗା

ଆରକେ ଏଗ୍ରୋ ଏକ୍ସପୋର୍ଟ କୁ ୪୦ ପ୍ରତିଶତ, କୁସୁମୁଖୁଣ୍ଟି ଶ୍ରୀ ଗଣପତି ରାଇସ ଇଣ୍ଡଷ୍ଟ୍ରିଚକୁ ୪୧ ପ୍ରତିଶତ ଓ ପାଷ୍ଟିକୁଡି ଏସକେଏମ ଏଗ୍ରୋ କୁ ୩୩ ପ୍ରତିଶତ ଚାଉଳ ଆରଆରସିକୁ ପ୍ରଦାନ କରିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ୩ଟି ମିଲକୁ ମାତ୍ର ୩ ପ୍ରତିଶତ ଟାର୍ଗେଟ ଦେଇଥିବା ବେଳେ ଅନ୍ୟ ମାନଙ୍କୁ ୪ ପ୍ରତିଶତରୁ ୩୦ ପ୍ରତିଶତ ମଧ୍ୟରେ ଟାର୍ଗେଟ ପ୍ରଦାନ କରାଯାଇଛି । ୩୦ ପ୍ରତିଶତ ଉପରେ କିଭଳି ଆରଆରସି ଟାର୍ଗେଟ ପ୍ରଦାନ କରାଗଲା ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ଚାଷୀ ମାନଙ୍କ ମଧ୍ଯରେ ଦାବୀ ହୋଇଛି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇନ ଥିଲେ ।

ସମ୍ବନ୍ଧିତ ଖବର