କଟକ ବଡ଼ ମେଡିକାଲ୍‌ର ରେକର୍ଡ ରୁମ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ବଡ଼ ମେଡିକାଲ୍‌ରେ ମଙ୍ଗଳବାର ଭୋର୍‌ ସମୟରୁ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କଟକ ବଡ଼ ମେଡିକାଲ୍‌ର ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି। ଭୋର୍‌ ପ୍ରାୟ ୩.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ଘଟିବା ଫଳରେ ଏସି ଓ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ଜଳିପୋଡ଼ି ପଉଁଶ ହୋଇଯାଇଛି। ରେକର୍ଡ ରୁମ୍‌ ଭିତରେ ରାତିରେ କେହି ନଥିବା ହେତୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।

ଘଟଣା ଘଟିବା ପରେ ଅଗ୍ନିଶମ ବିଭାଗକୁ ତତ୍‌କ୍ଷଣାତ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗୀୟ କର୍ମଚାରୀଙ୍କ ତତ୍‌ପରତା ହେତୁ ଏକ ବଡ଼ ବିପଦ ଟଳିଯାଇଥିବା ସୂଚନା ରହିଛି। ନିଆଁ ଲିଭାଇବା ପାଇଁ ସମୁଦାୟ ୧୦ ମିନିଟ୍‌ ସମୟ ଲାଗିଥିଲା। ଭୋରୁ ଭୋରୁ ରେକର୍ଡ ରୁମ୍‌ ଭିତରୁ ନିଆଁ ବାହାରୁ ଥିବା ଦୃଶ୍ୟ ପ୍ରଥମେ ଫାଣ୍ଡି ପୁଲିସ୍‌ ଦେଖିବାକୁ ପାଇଥିଲା। ପୁଲିସ୍‌ ନିଆଁ ସଂପର୍କରେ ସୂଚନା ପାଇବା ପରେ ତତ୍‌କ୍ଷଣାତ ଅଗ୍ନିଶମ ବିଭାଗକୁ ଡକାଇଥିଲା।

ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇନାର୍ହି। ତେବେ, ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଏବେ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର