ନିଅାଁ : ନିମିଷକ ମଧ୍ୟରେ ୧୮ଟି ପରିବାରର ୪୦ବଖରା ଘର ଭସ୍ମୀଭୂତ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ୍‌ ନଳଗୋହିରା ପଞ୍ଚାୟତ ନୂଆଗାଁରେ ଶନିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ଟି ପରିବାରର ପାଖାପାଖି ୪୦ବଖରା ଘର ଜଳି ଛାର୍‌ଖାର୍‌ ହୋଇଯାଇଛି। ଏଥିସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗାଁରେ ରହୁଥିବା ରମେଶ ନାୟକଙ୍କ ଘରେ ଆଜି ରୋଷେଇ ଚାଲିଥିବା ସମୟର ହଠାତ୍‌ ତାଙ୍କ ଗ୍ୟାସରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଆଖି ପିଛୁଳାକେ ନିଆଁ ସଙ୍ଗେସଙ୍ଗେ ୪୦ଟି ବଖରାକୁ ମାଡି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଆସବାବାପତ୍ର, ମୂଲ୍ୟବାନ କାଗଜ ପତ୍ର ଓ ଅଳଙ୍କାର ସବୁକିଛି ପୋଡ଼ି ଭସ୍ମ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା। ଖବର ପାଇଁ ଚାନ୍ଦବାଲି ଓ ଗଦି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ୪୦ବଖରା ଜଳି ପାଉଁଶ ହୋଇଯାଇଥିଲା। ଏଭଳି ଦୃଶ୍ୟଦେଖି ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିବା ସହିତ କେହି କେହି ନିଜ ଘରକୁ ଦେଖି କାନ୍ଦି କାନ୍ଦି ଅଚେତ ହୋଇପଡ଼ୁଥିଲେ। ତେବେ କ୍ଷତିପୂରଣ ପାଇଁ ଗ୍ରାମବାସୀ ସରକାରଙ୍କ ପାଖରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର