ରାଉରକେଲା ଏନ୍ଆଇଟିରେ ଅଗ୍ନିକାଣ୍ଡ, ଆତ୍ମଘାତୀ କାର୍ଯ୍ୟ ସନ୍ଦେହ

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲାସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଏନଆଇଟି)ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହେଇ ଯାଇଛିି। ତେବେ ଏହି ଅଗ୍ନିକାଣ୍ଡ ପଛରେ ଆତ୍ମଘାତି କାର୍ଯ୍ୟ ସନ୍ଦେହ କରାଯାଉଛି। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏନଆଇଟି ନିର୍ଦ୍ଦେଶକ ଅନିମେଶ ବିଶ୍ଵାସ ଏକ ୭ ଜଣିଆ କମିଟି ଗଠନ କରି ଅଗ୍ନିକାଣ୍ଡ ପଛରେ କୌଣସି ଆତ୍ମଘାତି କାର୍ଯ୍ୟ ହୋଇଛି କିମ୍ବା ନାହିଁ ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ୧୫ ମିନିଟ ସମୟରେ ଏନଆଇଟିର ଓ୍ଵାର୍କ୍‌ସ ଆଣ୍ଡ ପର୍ଚେଜ୍‌ ବିଭାଗ ବିଲିଡିଂରେ ହୁତୁହୁତୁ ହୋଇ ନିଆଁ ଜଳି ଉଠିଥିଲା। ଖବର ପାଇ ୨ଟି ଦମକଳ ଗାଡ଼ି ଆସି ଦୀର୍ଘ ୨/୩ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ।

ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବପତ୍ର ସହିତ ଗୁରୁତ୍ୱପୂର୍ଣ୍ଣ କମ୍ପ୍ୟୁଟରଗୁଡ଼ିକ ପୋଡି ପାଉଁଶ ହୋଇ ଯାଇଛି। ଏହି କମ୍ପୁଟର ଗୁଡ଼ିକର ହାର୍ଡଡିସ୍କରେ ଥିବା ସମସ୍ତ ତଥ୍ୟ ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଥିିବା ଏନ୍‌ଆଇଟି କୂଳସଚିବ ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି।

ଅପରପକ୍ଷେ ପ୍ରଥମେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଥିଲା ମାତ୍ର ଯେପରି କମ୍ପ୍ୟୁଟରଗୁଡ଼ିକର ତଥ୍ୟ ନଷ୍ଟ କରାଯାଇଛି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଛି, ସେଥିରୁ କର୍ତ୍ତୃପକ୍ଷ ଭିନ୍ନ ଆଶଙ୍କା କରୁଛନ୍ତି। ହୁଏତ ଜାଣିଣୁଣି ପ୍ରମାଣ ନଷ୍ଟ ପାଇଁ କେହି କାଗଜପତ୍ର ଓ କମ୍ପ୍ୟୁଟରରେ ନିଆଁ ଲଗାଇ ଦେଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ନିର୍ଦ୍ଦେଶକ ଅନିମେଶ ବିଶ୍ୱାସ ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିକୁ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର