ନିର୍ବାଚନ ପୂର୍ବରୁ କନ୍ଧମାଳରେ ଫୁଟିଲା ଗୁଳି: ଅଟୋ ଚାଳକଙ୍କ ଉପରକୁ ୨ ରାଉଣ୍ଡ, ରାଜନୈତିକ ଶତ୍ରୁତା ସନ୍ଦେହ

0

ଫୁଲବାଣୀ: ନିର୍ବାଚନ ପୂର୍ବରୁ କନ୍ଧମାଳରେ ସୋମବାର ଗୁଳି ଫୁଟିଛି। ଗୁଳିମାଡରେ ଜଣେ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି। ଦାରିଙ୍ଗବାଡି ଥାନା ପାର୍ତ୍ତମାହା ଗାଁରେ ଆହତ ଅଟୋ ଚାଳକ ଲେଙ୍କା ପ୍ରଧାନଙ୍କ ଘର। ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀ। ନିଜ ଅଟୋରେ ୨-୩ ଜଣ ଯାତ୍ରୀଙ୍କୁ ନେଇ ଗାଁରୁ ରବିବାର ରାତି ସିମନବାଡି ଯାଉଥିଲେ। ବାଟରେ ୨-୩ ଜଣ ଯୁବକ ଅଟୋକୁ ଅଟକାଇବା ସହ ଲେଙ୍କାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଡାହାଣ ହାତରେ ଓ ଆଉ ଗୋଟିଏ ଗୁଳି ଡାହାଣ ଗୋଡ ଜଙ୍ଘରେ ବାଜି ଥିଲା।

ଗୁଳିମାଡ କରିବା ପରେ ସଂପୃକ୍ତ ଯୁବକମାନେ ଲେଙ୍କାକୁ ମାଡପିଟ କରିବା ସହ ତାଙ୍କ ପାଖରେ ଥିବା ୫ହଜାର ଟଙ୍କା ନେଇ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଲେଙ୍କାକୁ ପ୍ରଥମେ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଆଜି ସଂଧ୍ୟାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବସ୍ଥା ଭଲ ନଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି।

ଗୁଳିମାଡର କାରଣ ନେଇ ଲେଙ୍କାଙ୍କ ଭାଇ ମହାଦେବ ପ୍ରଧାନ ସ୍ପଷ୍ଟ କିଛି କହି ନାହାନ୍ତି। ଲୁଟ ପାଇଁ ଏଭଳି କରିଥାଇ ପାରିଥାନ୍ତି ବୋଲି ଭାଇ କହିଥିବା ବେଳେ ରାଜନୈତିକ ଶତ୍ରୁତାରୁ ଏଭଳି ହୋଇଛି ବୋଲି କିଛି ଗ୍ରାମବାସୀ କହିଛନ୍ତି। ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି। ଗୁଳିମାଡର କାରଣ ଓ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ସବୁ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି। ର୍ନିବାଚନ ପୂର୍ବରୁ ଗୁଳି ଫୁଟିବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଅଭିଯୁକ୍ତ କେବେ ଧରା ପଡୁଛନ୍ତି ଦେଖିବାର କଥା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.