ଲଘୁଚାପ ଯୋଗୁ କୂଳମୁହାଁ ମାଛଧରା ବୋଟ୍‌

ଧାମରା: ଗତ କିଛି ଦିନ ଧରି ମାଛ ମାରିବା ପରେ ଲଘୁଚାପ ଯୋଗୁ ପୁଣି କୂଳମୁହାଁ ହୋଇଛି ଧାମରାରେ ମାଛ ଧରା ବୋଟ। ବର୍ଷକରେ ମାତ୍ର ୫ମାସ ଜୁନ ୧୫ରୁ ନଭେମ୍ବର ୧୫ ପଯ୍ୟର୍ନ୍ତ ବହୁ କଟକଣା ମଧ୍ୟରେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ଏହି ମାଛ ଧରା ବୋଟଗୁଡିକ ପ୍ରାକୃତିକ ଦୁର୍ବିପାକ, ଝଡବର୍ଷା, ଲଘୁଚାପ ଯୋଗୁଁ କୂଳମୁହାଁ ହୋଇ ନଦୀ ନାଳ ମଧ୍ୟରେ ଆଶ୍ରୟ ନେଇଥାଆନ୍ତି । ଏ ନେଇ ଉଭୟ ବୋଟ ମାଲିକ, ଡ୍ରାଇଭର ଓ କର୍ମଚାରୀ ବିଶେଷ କ୍ଷତିଗ୍ରସ୍ତ ହେବା ସହ ମାଛ ମରା ଉପରେ ନିର୍ଭର କରି ବଂଚିଥିବା ଅଂଚଳବାସୀ ଅଧିକ କ୍ଷତିଗ୍ରସ୍ତ ହୋଇଥାଆନ୍ତି । ଗତ ବୁଧୁବାର କୁମାର ପୂର୍ଣ୍ଣମା ଠାରୁ ଲଘୁଚାପଜନିତ ବର୍ଷା ସହ ପାଗ ଖରାପ ରହିବା ଯୋଗୁ ସମୁଦ୍ର ଅଶାନ୍ତ ରହିଛି ।

ଏହି ପାଗ ପ୍ରାୟ ୯ତାରିଖ ପଯ୍ୟର୍ନ୍ତ ଲାଗି ରହିବ ବୋଲି ପାଣି ପାଗ ବିଭାଗ ଠାରୁ ଖବର ପାଇବା ପରେ ସମସ୍ତ ବୋଟ ଧାମରା ଜେଟୀ ଓ ଆଖପାଖ ନଦୀ ନାଳରେ ଆଶ୍ରୟ ନେଇଛନ୍ତି । ପାଗ ଠିକ୍‌ ହେଲେ ପୁଣି ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯିବାକୁ ପ୍ରସ୍ତୁତ ହେବୁ ବୋଲି ବୋଟ ଡ୍ରାଇଭର ବାପି ଗିରି କହିଛନ୍ତି । ଲଘୁଚାପ ଯୋଗୁ ଖାଲି ମାଲିକ ନୁହେଁ ଆମର ମଧ୍ୟ ବହୁତ କ୍ଷତି ହେଉଛି । ବୋଟ ଘାଟରେ ବସି ରହିବା ଯୋଗୁ ମାଲିକ କ୍ଷତି ଖାଉଛି ମାଲିକ ଦୁଇ ପଇସା ରୋଜଗାର କଲେ ସିନା ଆମ ସୁବିଧା ଅସୁବିଧା ଦୂର ହେବ ବୋଲି ବୋଟ କର୍ମଚାରୀ ସୁଶାନ୍ତ କାଣ୍ଡାର କହିଛନ୍ତି । ଧାର ଉଧାର କରି ବୋଟ ବାହାର କରିଛୁ । ଗତ କିଛି ଦିନ ପୂର୍ବରୁ ଲଘୁଚାପ ଯୋଗୁ ବୋଟଗୁଡିକ ଘାଟରେ ବନ୍ଧା ହୋଇ ରହିଥିଲା । ବୋଟ ଘାଟରେ ବନ୍ଧା ହେଲେ ଷ୍ଟାପ ଖର୍ଚ୍ଚ ଅଯଥାରେ ଆମକୁ ଦେବା ପାଇଁ ପଡୁଛି । ତେଲ, ପାଣି, ବରଫ, ମେସ ଖର୍ଚ୍ଚ ସାଙ୍ଗକୁ କର୍ମଚାରୀଙ୍କ ଦରମା ଦେବା ପରେ ଲାଭ ହେଲେ ଯାହା କିଛି ଆମପାଖକୁ ଆସେ ହେଲେ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକ, ଲଘୁଚାପ, ଝଡବତାସ ଆମ ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି ବୋଟ ମାଲିକ ରମେଶ ନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର