ଜଗା ପରେ ଆଉ ଜଣେ ଚର୍ମ ରୋଗ ଆକ୍ରାନ୍ତ ବାଳିକା ନନ୍ଦିନୀ

ରେଡକ୍ରସରୁ ବିଡିଓ ଦେଲେ ପାଞ୍ଚ ହଜାର ଟଙ୍କା, ଅଧିକ ଚିକିତ୍ସା ନିମନ୍ତେ ନେଲେ ବ୍ରହ୍ମପୁର

ଶେରଗଡ଼ (ସୁବ୍ରତ ପଣ୍ଡା): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁର ଜଗା ପ୍ରଧାନ ଭୟଙ୍କର ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିବା ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରଶାସନ ଜଗାର ଚିକିତ୍ସା ଦାୟିତ୍ୱ ନେଇ ଭୁବନେଶ୍ୱର ଏମସ୍‌ (ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ)ରେ ଭର୍ତ୍ତି କରିଛି। ଜଗାର ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସେ ବର୍ତ୍ତମାନ ନୂଆ ଚେହେରାରେ ଗାଁରେ ଥିବା ବେଳେ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ପଞ୍ଚାୟତ ଗୁଡ଼ିସର ଗାଁରେ ସମାନ ଲକ୍ଷଣ ଥିବା ନନ୍ଦିନୀ ବେହେରା ନାମକ ଜଣେ ସାତ ବର୍ଷର ପ୍ରଥମ ଶ୍ରେଣୀ ଛାତ୍ରୀ ଚିହ୍ନଟ ହୋଇଛି।

ସୂର୍ଯ୍ୟ ନାରାୟଣ ବେହେରାଙ୍କ ସାନ ଝିଅ ନନ୍ଦିନୀ ଜନ୍ମରୁ ଦେହ ସାରା ସାପ କାତି ଭଳି ହେବା ସହ ଦେହରୁ ଚର୍ମ ଛାଡୁଛି। ସାମାନ୍ୟ ଗରମ ଅସହ୍ୟ ହେଉଛି ନନ୍ଦିନୀର ଦୁଇ ହାତ, ଦୁଇ ଗୋଡ଼ ସମେତ ମୁହଁରୁ ଚର୍ମ ଛାଡୁଥିବା ଦେଖା ଦେଇଛି। ନନ୍ଦିନୀ ପକ୍ଷରେ ବାପା ସୂର୍ଯ୍ୟ ନାରାୟଣ ପୂର୍ବରୁ ସୁରାଟ ରହି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଦ୍ୱିତୀୟ ଝିଅ ଜନ୍ମ ହେବା ପର ଠାରୁ ଝିଅର ଚିକିତ୍ସା ନିମନ୍ତେ ସୁରାଟ ଯିବା ବନ୍ଦ ହେବା ସହ ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଭଞ୍ଜନଗର ଏପରିକି ସୁରାଟ ଯାଇ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନି । ବରଂ ବହୁ ବାକି ହେବା ସହ ଆର୍ଥିକ ସ୍ଥିତି ଖରାପ ହୋଇଛି।

ବର୍ତ୍ତମାନ ଝିଅ ଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଛି। ଆଜି କୌଣସି ଏକ କାମରେ ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଗୁଡ଼ିସର ବିଦ୍ୟାଳୟକୁ ଆସିଥିବା ବେଳେ ସୂଚନା ପାଇ ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ପୃଷ୍ଟିଙ୍କ ସହ ନନ୍ଦିନୀଙ୍କ ଘରକୁ ଯାଇଥିଲେ। ସେଠି ନନ୍ଦିନୀର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ସହ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ସେ ରେଡକ୍ରସ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ଏବଂ ରାଷ୍ଟ୍ରୀୟ ବାଳ ବିକାଶ କାର୍ଯ୍ୟକ୍ରମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ମଙ୍ଗଳବାର ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଡାକ୍ତର ଦଳ ଗୁଡ଼ିସର ଯାଇ ନନ୍ଦିନୀକୁ ଦେଖିବା ସହ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ନେଇ ପ୍ରାଥମିକ ଚିକିତ୍ସା କରିଛନ୍ତି।

ସମ୍ବନ୍ଧିତ ଖବର