ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥରେ ଭୁଶୁଡ଼ିଲା ନିର୍ମାଣାଧିନ ଫ୍ଲାଏଓଭର ବ୍ରିଜ୍‌

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ଚାଲିଥିବା ବେଳେ ନିର୍ମାଣାଧୀନ ଫ୍ଲାଏଓଭର ବ୍ରିଜ ଆଜି ଭୁଶୁଡ଼ିପଡ଼ିଛି। ଦେଗଗଡ଼ ପୌରପାଳିକା ଅନ୍ତର୍ଗତ ପୁରୁଣାଗଡ଼ରେ ଫ୍ଲାଏଓଭର ବ୍ରିଜ୍‌ ପାଇଁ ନିର୍ମିତ ଖମ୍ବରୁ ସନ୍ଧ୍ୟାରେ ବିମ୍‌ ଖସିପଡ଼ିଛି।

ସୂଚନା ଅନୁସାରେ ଏହି ପ୍ରକଳ୍ପ ୨୦୧୮ ଜାନୁଆରିରେ ଆରମ୍ଭ ହୋଇଥିଲା ଏବଂ ୨୦୨୨ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା।  ଏହି ଫ୍ଲାଏଓଭର ବ୍ରିଜ୍‌ ପାଖାପାଖି ବର୍ଷେ ହେବ ନିର୍ମାଣ ଆରମ୍ଭ ହୋଇଥିଲା। ଓରିଏଣ୍ଟାଲ କଷ୍ଟ୍ରକସନ କମ୍ପାନି ଏହାର ନିର୍ମାଣ କରୁଥିଲା। ଆଜି ସନ୍ଧ୍ୟାରେ ବ୍ରିଜ୍‌ର ଏକ ସ୍ଥାନ ଦବି ଯିବାରୁ ‌ଗୋଟିଏ ବିମ୍‌ ଖସିପଡ଼ିଥିଲା। ତେବେ ଏହି ଘଟଣାରେ କ୍ଷୟକ୍ଷତି ଘଟି ନ ଥିବା ଜଣାଯାଇଛି। ଏହି ଜାତୀୟ ରାଜପଥ ବିଞ୍ଜବାହାଲ ଠାରୁ ତିଲେଇବଣିକୁ ସଂଯୋଗ କରୁଛି। ଏହି ପ୍ରକଳ୍ପ ପାଇଁ ୧୧ ଶହ ୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।

ରିପୋର୍ଟ ଲେଖାଯିବା ବେଳକୁ ସୂଚନା ପାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ଦେବଗଡ଼ ତହସିଲଦାର ପଲ୍ଲବୀ ନାଏକ ଓ ଜରୁରୀକାଳୀନ ଅଧିକାରୀ ସୁଶାନ୍ତ ନାଏକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଓରିଏଣ୍ଟାଲ କମ୍ପାନିର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର