କନ୍ଧମାଳ: ଘୁ. ଉଦୟଗିରିରେ ସକାଳୁ ଘନ କୁହୁଡି, ଦିନରେ ପ୍ରଚଣ୍ଡ ଖରା

ଘ.ଉଦୟଗିରି: ଆଜି ଘୁ.ଉଦୟଗିରି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି। ଗତରାତିରେ ସହରରେ କୁହୁଡି ପଡିଥିବା ଦେଖିବାକୁ ମିଳିଥିବା ବେଳେ ଆଜି ଭୋରରୁ ସହର କୁ ଲାଗି ଥିବା ଜଙ୍ଗଲ ପାହାଡ଼ ପର୍ବତ ଅଂଚଳରେ ପ୍ରବଳ କୁହୁଡି ଅନୁଭୂତ ହୋଇଥିଲା। ସାଧାରଣତଃ ଶୀତ ଦିନରେ କୁହୁଡି ପଡେ ମଇ ମାସରେ କୁହୁଡି ପଡିବା ବିରଳ। ସକାଳ ଭ୍ରମଣରେ ଯାଉଥିବା ଲୋକ ଏହି କୁହୁଡ଼ିର ବେଶ ଆନନ୍ଦ ଉଠେଇଛନ୍ତି।

ଦିନକୁ ଦିନ ଘୁ.ଉଦୟଗିରି ସହରରେ ପାରଦ ବଢ଼ିବାରେ ଲାଗିଛି। ପାରଦ ଉଠି ୪୦ଡିଗ୍ରିକୁ ଲାଗିଲାଣି। ହଠାତ ତାପମାତ୍ରା ବଢିବା ଯୋଗୁଁ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତି ଲୋକଙ୍କୁ ଆଉତୁପାଉଟୁ କରିଦେଲାଣି। ଚଳିତ ବର୍ଷର ପ୍ରଥମ ଖରା ଗରମ ଲୋକ ଅନୁଭବ କରିଛନ୍ତି। ପ୍ରାୟତଃ ବିଗତ ବର୍ଷ ମାନଙ୍କରେ ଏପ୍ରିଲ ମାସରୁ ଖରା ଗରମ ଆରମ୍ଭ ହୋଇ ଧୀରେ ଧୀରେ ପାରଦ ବଢି ଥାଏ । କିନ୍ତୁ ଚଳିତ ବର୍ଷ ଲଗାଣ ବର୍ଷା, ମେଘୁଆ ପାଗରେ ଏପ୍ରିଲ ମାସ ଏବଂ ମଇ ମାସର ପ୍ରାୟ କୋଡିଏ ଦିନ ଅତିକ୍ରାନ୍ତ ବିନା ଗରମ ଖରାରେ ଗଲା।

ବର୍ତ୍ତମାନ ହଠାତ ଚାରିଦିନରେ ପାରଦ ବଢି ବଢି ୪୦ଡିଗ୍ରିକୁ ଲାଗିଯିବା ଫଳରେ ସାଧାରଣ ଲୋକ ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି। ସକାଳ ଦଶଟା ବାଜିଲେ ବଜାର ଖାଁ ଖାଁ ଲାଗୁଛି। ଜନଶୂନ୍ୟ ହୋଇଯାଉଛି ବଜାର।ଲକଡାଉନ ଯୋଗୁଁ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି ହେଲେ ପ୍ରବଳ ଖରା ବ୍ୟବସାୟରେ ବାଧକ ସାଜିଛି। ପ୍ରବଳ ଖରା ଯୋଗୁଁ ଲୋକ ଘରୁ ବାହିବାକୁ ଇଛା ପ୍ରକାଶ କରିନାହାନ୍ତି।

ଗତ ତିନି ଦିନର ତାପମାତ୍ରା ଦେଖିବାକୁ ଗଲେ ଗୁରୁବାର ଦିନ ତାପମାତ୍ରା ସର୍ବାଧିକ ୩୩.୫ଡିଗ୍ରି ଏବଂ ସର୍ବନିମ୍ନ ୨୧.୬ଡିଗ୍ରି ଥିବା ବେଳେ ଶୁକ୍ରବାର ଦିନ ସର୍ବାଧିକ ୩୫.୨ଡିଗ୍ରି ଏବଂ ସର୍ବନିମ୍ନ ୨୨.୦୪ଡିଗ୍ରି ଥିଲା ହେଲେ ଗତକାଲି ତାପମାତ୍ରାରେ ୫ଡିଗ୍ରି ବୃଦ୍ଧି ଘଟି ସର୍ବାଧିକ ୩୯.୦୮ଡିଗ୍ରି ଏବଂ ସର୍ବନିମ୍ନ ୨୩.୦୨ଡିଗ୍ରି ରେକର୍ଡ କରାଯାଇଛି। ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ କାଟ  ସାଧାରଣ ଲୋକଙ୍କୁ ସନ୍ତୁଳିଦେଲାଣି। ଘନଘନ ବିଦ୍ୟୁତ କାଟ ଯୋଗୁ ଗରମର ପ୍ରଭାବ ଅଧିକ ଜଣା ପଡୁଛି ଅପରାହ୍ଣରେ ସହରର ମୁଖ୍ୟସଡ଼କ ଜନଶୂନ୍ୟ ରହୁଛି। ଗୋଟିଏ କାଉ କୋଇଲି ବି ଦେଖିବାକୁ ମିଳୁବାହାନ୍ତି।

ସମ୍ବନ୍ଧିତ ଖବର