କନ୍ଧମାଳରୁ ଆଠଗଡ ଚାଲାଣ ଉଦ୍ୟମ: ୭୦ କିଲୋ ଗଂଜେଇ ଜବତ,୪ ଆନ୍ତଃଜିଲ୍ଲା ଅଭିଯୁକ୍ତ ଗିରଫ,୨ ଫେରାର

ପାଇଲଟିଂରେ ସଫାରି କାର ପଛେ ଗଂଜେଇ ଭର୍ତ୍ତି ବୋଲେରୋ

ଫୁଲବାଣୀ: ପାଇଲଟିଂରେ ଦାମିକା ସଫାରି କାର ପଛରେ ଗଂଜେଇ ଭର୍ତ୍ତି ବୋଲେରୋ ଗାଡି। କନ୍ଧମାଳରୁ କଟକ ଆଠଗଡକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୁଲିସକୁ ଏହାକୁ ରୋକିବାରେ ସକ୍ଷମ ହୋଇଛି। ପୁଲିସ ସଫାରି କାର ଓ ବୋଲେରୋ ଗାଡି ସହ ୭୦ କିଲୋ ଗଂଜେଇ ଜବତ କରିଥିବା ବେଳେ ୪ ଆନ୍ତଃଜିଲ୍ଲା ଅଭିଯୁକ୍ତଙ୍କୁ ଗିରଫ କରିଛି। ଗଂଜେଇ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ଓଆର-୦୨-ବିଏମ-୯୭୭୭ ନମ୍ବର ଏକ ସଫାରି କାର ଆଗରେ ପାଇଲଟିଂ କରି ଯାଉଥିବା ଓ ତା ପଛରେ ଓଡି-୦୨-ଏପି-୯୫୦୮ ନମ୍ବର ଏକ ବୋଲେରୋ ଗାଡିରେ ଗଂଜେଇ ଯାଉଛି।

ଏମିତି ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ କାଶିନପଦର ନିକଟରେ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ସଜାଗ ରହିଥିଲେ। ଦ୍ରୁତ ଗତିରେ ପଳାଇ ଯିବାକୁ ଉଦ୍ୟମ କରୁଥିବା ସଫାରି କାର ଓ ବୋଲେରୋ ଗାଡିକୁ ପୁଲିସ ଅଟକାଇବାରେ ସଫଳ ହୋଇଥିଲା। ଯାଞ୍ଚ ପରେ ବୋଲେରୋ ଗାଡିରୁ ଗଂଜେଇ ବାହାରିଥିଲା।

ଏହି ଘଟଣାରେ କଟକ ଜିଲ୍ଲା ଆଠଗଡର ଜିତୁରଂଜନ ବେହେରା(୨୫), ବାସୁଦେବ ମହାପାତ୍ର(୨୫) ଓ ନବକିଶୋର ରଣା(୨୫) ଏବଂ ଙ୍କୋନାଳର ଆଲୋକ ରାଉତ(୨୨)ଙ୍କୁ ପୁଲିସ ଗିରଫ କରିଥିଲା। ଆଉ ୨ ଅଭିଯୁକ୍ତ ଗାଡି ମାଲିକ ଫେରାର ହୋଇ ଯାଇଥିଲେ। ସେମାନଙ୍କୁ ଧରିବା ନିମନ୍ତେ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି। ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ ଫୁଲବାଣୀ କୋର୍ଟକୁ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର