ଭୂତ ଭୟରେ ବିଦ୍ୟାଳୟ ଛାତ୍ରାବାସ ଛାଡ଼ିଲେ ସମସ୍ତ ପିଲା!

ଖଇରା: ଭୂତ ଭୟରେ ବିଦ୍ୟାଳୟର ଛାତ୍ରାବାସ ଛାଡ଼ି ସମସ୍ତ ଛାତ୍ର ଘରକୁ ପଳାଇଛନ୍ତି। ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଦହିପୁରସ୍ଥିତ ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାଳୟର ଛାତ୍ରାବାସରେ ଏହି ଘଟଣା ରବିବାର ପୂର୍ବାହ୍ଣରେ ଦେଖାଯାଇଛି। ଷଷ୍ଠ ଓ ୭ମ ଶ୍ରେଣୀର ଚାରି ଜଣ ଛାତ୍ର ଆଜି ସକାଳୁ ଛାତ୍ରାବାସ ଛାଡ଼ି ବସ୍‌ ଯୋଗେ ମୟୂରଭଂଜ ଜିଲ୍ଲାର ଉଦଳା ବସ୍‌ ଷ୍ଟାଣ୍ଡରେ ପହଂଚିଥିଲେ। ବସ୍‌ରୁ ଓହ୍ଲାଇବା ପରେ ପୁଲିସର ଏହି ଛାତ୍ରମାନଙ୍କର ଉପରେ ସନ୍ଦେହ ହୋଇଥିଲା। ପୁଲିସ ଥାନାକୁ ନେଇ ପିଲାମାନଙ୍କୁ ପଚରାଉଚରା କରିଥିଲା।

ପିଲାମାନେ ଭୂତ ଭୟରେ ବିଦ୍ୟାଳୟ ଛାଡ଼ିଛନ୍ତି ବୋଲି କହିଛନ୍ତି। ବିଦ୍ୟାଳୟ ନିକଟରେ ଥିବା ଶ୍ମଶାନରେ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ଏହି କାରଣରୁ ପିଲାମାନେ ଭୟ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଅନ୍ୟପଟରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ଭୂତ ଭୟ ସଂପର୍କରେ ଆମେ ଜାଣି ନାହୁଁ। ଛାତ୍ରାବାସରୁ ଘରୁକୁ ଯିବା ପୂର୍ବରୁ ୪ ଜଣ ପିଲା ହଷ୍ଟେଲ ଓ୍ଵାର୍ଡେନଙ୍କୁ ଦରଖାସ୍ତ ଦେଇଛନ୍ତି। ଏହା ପୂର୍ବରୁ ଅନ୍ୟଛାତ୍ରଛାତ୍ରୀମାନେ ଶନିବାର ଦରଖାସ୍ତ ଦେଇ ଘରକୁ ଯାଇଛନ୍ତି।

ଅନ୍ୟପକ୍ଷରେ ଅଭିଭାବକଙ୍କ ବିନା ଅନୁରୋଧରେ ସ୍କୁଲ ପିଲାମାନଙ୍କୁ ଘରକୁ ଛାଡ଼ିଦେବା ନିୟମ ନ ଥିଲେ ମଧ୍ୟ ଛାତ୍ରାବାସର େଓ୍ଵର୍ଡେନ କେମିତି ଅନୁମତି ଦେଲେ ସେ ନେଇ ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାଳୟରେ ୨ ଶହରୁ ଉର୍ଦ୍ଧ୍ୱ ପିଲା ପଢ଼ନ୍ତି। ଏଠାରେ ୬ଷ୍ଠରୁ ୧୦ମ ଯାଏଁ ପିଲାମାନେ ପାଠପଢ଼ନ୍ତି। ସ୍କୁଲରେ ଅନୁସୂଚିତ ଜନଜାତି ଛାତ୍ରଙ୍କ ପାଇଁ ଛାତ୍ରାବାସ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର