ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତ ୪ କୋର୍ଟ ଚାଲାଣ

କାର୍‌, ସୁନା ଗହଣା ଜବତ

ପାଟଣାଗଡ଼: ପାଟଣାଗଡ଼ ଅଞ୍ଚଳର ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣ ଯୁବକଙ୍କୁ ଶୁକ୍ରବାର ପାଟଣାଗଡ଼ ପୁଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୩୭ ଗ୍ରାମ ସୁନା, ୫୬ ଗ୍ରାମ ରୂପା ସହିତ ଡକାୟତିରେ ବ୍ୟବହୃତ ଏକ ଇଣ୍ଡିଗୋ ସିଏସ ଗାଡ଼ି (ଓଆର ୦୮ ଜି ୩୪୬୫) ଜବତ୍‌ କରିଥିବା ନେଇ ଥାନାଧିକାରୀ ବାରିଣୀ ଦାଶଙ୍କ ଠାରୁ ପ୍ରକାଶ।
ପାଟଣାଗଡ଼ ସହରର ମନମୋହନ ଜୈନଙ୍କ ଘରୁ ଡକାୟତି ହୋଇଥିବା ନେଇ ଗତ ୧୦ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ପାଟଣାଗଡ଼ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା । ପାଟଣାଗଡ଼ ଥାନାଧିକାରୀ ବାରିଣୀ ଦାଶଙ୍କ ନେତୃତ୍ତ୍ୱରେ ଏସ୍‌ଆଇ ମଳୟ ପଣ୍ଡା, ଏସ୍‌ଆଇ ରବିନ୍ଦ୍ର ଭୁଜବଳ, ଏସ୍‌ଆଇ ସ୍ନେହଲତା ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ କିଛି ସ୍ଥାନରେ ଚଢ଼ଉ କରିଥିଲେ। ଚଢଉ ସମୟରେ ପାଟଣାଗଡ଼ ଥାନା ଅନ୍ତର୍ଗତ ଅପୁରସାଗର ଗାଁର ଦେବେଶ ଭୁଏ(୨୨), ଦିଲ୍ଲୀପ କଠାର(୨୨), ଟିଟିଲାଗଡ଼ ଜଗନ୍ନାଥପଡାର ଚିନ୍ମୟ ସାହୁ(୩୮) ଓ ରାକେଶ ଗାନ୍ଧୀ ଓରଫ ରାକେଶ ଭରାସାଗର(୩୫)ଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା। ପଚରା ଉଚୁରା ବେଳେ ଅଟକ ଥିବା ୪ ଜଣ ଯୁବକ ପାଟଣାଗଡ଼ ଅଞ୍ଚଳର ଡକାୟତି ମାନଙ୍କରେ ଜଡିତ ଥିବା ଜଣାପଡିଥିଲା। ଏହି ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଛି। ସେମାନେ ପାଟଣାଗଡ଼ ସହରର ମନମୋହନ ଜୈନଙ୍କ ଘରେ ଡକାୟତି ସମେତ ଏହି ବ୍ଲକ ଅନ୍ତର୍ଗତ ଲରମ୍ଭା, ଇନ୍ଦପୁର, ଘସିଏନ ଓ ଖୁଟଣାପାଣି ଗ୍ରାମରେ ହୋଇଥିବା ଡକାୟତିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର