୫୬୦ ପିଲାଙ୍କୁ ୪ ଶିକ୍ଷକ, ପିଲା ଘରୁ ଆଣନ୍ତି ମଧ୍ୟାହ୍ନ ଭୋଜନ 

ଅବ୍ୟବସ୍ଥା ଘେରରେ ୫୧ ବର୍ଷ ପୁରୁଣା କବିସୂର୍ଯ୍ୟନଗର ବାଳିକା ହାଇସ୍କୁଲ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍‌ଏସିରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ। ଗୋଟିଏ ପଟେ ଶିକ୍ଷାଦାନ ବ୍ୟବସ୍ଥା ସମସ୍ୟା ଘେରରେ ଥିବା ବେଳେ ଅନ୍ୟ ପଟେ ମଧ୍ୟାହ୍ନ ଭୋଜନରେ ବି ବିଭ୍ରାଟ ଉପୁଜିଛି। ଅଧିକାଂଶ ପିଲା ଘରୁ ଟିଫିନ୍‌ ଆଣି ମଧ୍ୟାହ୍ନ ଭୋଜନ କରିବାକୁ ବାଧ୍ୟ ହେଉଥିବାର ନଜିର୍‌ ରହିଛି।
ହସ୍ତଗତ ହୋଇଥିବା ସୂଚନାନୁସାରେ, ପୂର୍ବତନ ଏନ୍‌ଏସି ନଗରପାଳ ସ୍ୱର୍ଗତ ରଙ୍କନିଧି ସାହୁ ଓ ସହରବାସୀଙ୍କ ଉଦ୍ୟମରେ ୧୯୬୭ ମସିହାରେ ଏହି ଶିକ୍ଷାନୁଷ୍ଠାନ ଗଢି ଉଠିଥିଲା। କିନ୍ତୁ ବର୍ତମାନ ଧୀରେ ଧୀରେ ଏହ ଅନୁଷ୍ଠାନ ନିଜର ଗାରିମା ହରାଇବାକୁ ବସିଛି। ବିଦ୍ୟାଳୟରେ ଷଷ୍ଠ ଠାରୁ ଦଶମ ଶ୍ରେଣୀରେ ପଢୁଥିବା ମୋଟ ୫୬୦ ପିଲାଙ୍କୁ ୪ ଜଣ ନିୟମିତ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ଦୁଇଜଣ ଶିକ୍ଷକ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଛନ୍ତି। ଗତ ୪ ବର୍ଷ ତଳେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଦୀପ୍ତିରେଖା ପଣ୍ଡାଙ୍କୁ କୁକୁଡ଼ାଖଣ୍ଡି ହାଇସ୍କୁଲକୁ ବଦଳି ହୋଇଥିଲା। ଏହାପରେ ବିଜ୍ଞାନ ଶିକ୍ଷୟିତ୍ରୀ ପଦବୀ ଖାଲି ପଡିଥିବା ବେଳେ ଏହାକୁ ପୂରଣ କରାଯିବା ଦିଗରେ ପଦକ୍ଷେପ ନିଆଯାଇ ନାହିଁ। କୋଠରି ଅଭାବ ମଧ୍ୟ ଆଉ ଏକ ସମସ୍ୟା ଭାବେ ଛିଡ଼ା ହୋଇଛି। ଗୋଟିଏ କୋଠରିରେ ଅତ୍ୟଧିକ ପିଲା ବସୁଥିବାରୁ ପାଠପଢାରେ ଅସୁବିଧା ହେଉଥିବା ଜଣାପଡିଛି ।
ସେହିପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବି ନିମ୍ନମାନର ହୋଇଥିବାରୁ ଛାତ୍ରୀ ମାନେ ଘରୁ ଖାଇବା ଆଣୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଦ୍ୟାଳୟର ସମସ୍ୟା ଓ ଶିକ୍ଷକ ନିଯୁକ୍ତି ନେଇ ପ୍ରଧାନଶିକ୍ଷକ କମଳଲୋଚନ ସାହୁ ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ବି କୌଣସି ସୁଫଳ ମିଳୁ ନାହିଁ। ଏଭଳି ପରିସ୍ଥିତିରେ ପିଲାଙ୍କ ପାଠପଢ଼ା କିପରି ହେବ ବୋଲି ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଛାତ୍ରୀ ମାନେ ସିଆରସିସି ସୁଶାନ୍ତ କୁମାର ବେହେରାଙ୍କୁ ଅବଗତ କରିଛନ୍ତି। ଖୁବ୍‌ଶିଘ୍ର ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବା ସହ ଅନ୍ୟ ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର