ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା : ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି : ୨୦୧୪ ମସିହାରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାଡ଼ିଗୁମ୍ମା ଗ୍ରାମରେ ଗୁଣିଆ ସନ୍ଦେହରେ ନୀଳାମ୍ବର ଦଳାଇଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ବିଚାରଣା ଗଜପତି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଚାଲିଥିଲା। ଆଜି ମାନ୍ୟବର ଜିଲ୍ଲା ଦୌରାଜଜ୍‌ ଦୁର୍ଗାଶଙ୍କର ମିଶ୍ର ଚୂଡ଼ାନ୍ତ ରାୟରେ ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବା ପାଇଁ ରାୟରେ ଦର୍ଶାଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ମାନ୍ୟବର ଜିଲ୍ଲା ଜଜ ଦୁର୍ଗା ଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ଖାଡିଗୁମ୍ମା ଗ୍ରାମର ନୀଳାମ୍ବରଙ୍କୁ ବୁଲୁ ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, କାଳିଆ ମଲ୍ଲିକ, ବିଶୁ ମଲ୍ଲିକ, ବୈରାଜ ମଲ୍ଲିକ ଏବଂ ବିଜୟ ମଲ୍ଲିକ ହତ୍ୟା କରିଥିବା ନେଇ ମୋହନା ଥାନାରେ ଏତଲା ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫରେନ୍‌ସିକ ଟିମର ତଥ୍ୟ ଆଧାରରେ ଅନୁସନ୍ଧାନ କରି ଉପରୋକ୍ତ ୬ଜଣଙ୍କୁ ଅଟକ ରଖି କୋର୍ଟଚାଲାଣ କରିଥିଲା। ଆଜି ଉକ୍ତ ଘଟଣାର ରାୟ ପ୍ରକାଶପାଇଛି । ମାନ୍ୟବର ଜିଲ୍ଲା ଜଜ ଦୁର୍ଗା ଶଙ୍କର ମିଶ୍ର ଶୁଣାଣି କରି ସେମାନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ।

ସମ୍ବନ୍ଧିତ ଖବର