ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା!

ହିନ୍ଦୋଳ : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଅନ୍ତର୍ଗତ ଛେଳିଗଡ଼ ଭଳି ହିନ୍ଦୋଳ ଅଞ୍ଚଳରେ ଏକ ସମାନ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି! ପରିବାର ଲୋକ ଏହି ଅଭିଯୋଗ ଆଣିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

ଏହି ନାବାଳିକା ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ଗତ ୨୩ ତାରିଖଠାରୁ ଗାଁଠାରୁ ଅଳ୍ପଦୂରରେ ଥିବା ପାହାଡ଼ ତଳକୁ ଶୌଚ ହେବାକୁ ଯାଇ ଫେରି ନଥିଲେ। ସବୁଆଡ଼େ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକ ପାଇନଥିଲେ। ଶେଷରେ, ନିରାଶ ହୋଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ।

ଆଜି ନାବାଳିକାଙ୍କ ମୃତଦେହ ପାହାଡ଼ ଚୂଡ଼ାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୋଠମୁଣ୍ଡିଆ ପାହାଡ଼ ଖୁବ୍‌ ତୀଖ। ଉଚ୍ଚତା ପ୍ରାୟ ୩ କିଲୋମିଟର। ଏତେ ଉଚ୍ଚକୁ ମୃତଦେହ କିପରି ଗଲା ତାହା ସାଧାରଣରେ ସଂଦେହ ସୃଷ୍ଟି କରିଛି। ଦୁଷ୍କର୍ମ ପରେ ଦୁର୍ବୃତ୍ତ ହତ୍ୟା କରିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ିଛି। ନାବାଳିକାଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ୍‌ ମୃତଦେହ ଜବତ କରିଛି। ତେବେ, ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ନେବାବେଳେ ଗ୍ରାମବାସୀ ଶବ ଅଟକାଇ ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର