ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅଧୀନ ଛେଳିଗଡ଼ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ପଢୁଥିବା ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରୀଜଣକ ଗତ ଡିସେମ୍ବର ମାସ ୧୦ ତାରିଖରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ଶବକୁ ଝୁଲନ୍ତା ଅବସ୍ଥାରେ ବାରସିଂ ଗ୍ରାମପଞ୍ଚାୟତ ପାତ୍ର ବସା ନିକଟସ୍ଥ ପାହାଡ଼ରୁ ଉଦ୍ଧାର କରିଛି। ଛାତ୍ରୀଙ୍କ ପରିବାର ଲୋକେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଥିଲେ ବି ପୁଲିସ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ମିଳିଥିବା ସୂଚନାନୁସାରେ, ଛାତ୍ରୀ ଜଣକ ଏକ ମେସ୍‌ରେ ରହି ପାଠ ପଢୁଥିଲେ। ହେ‌ଲେ ଅଚାନକ ଗତ ଡିସେମ୍ବର ୧୦ ତାରିଖରେ ନିଖୋଜ ହୋଇ ଯାଇଥିଲେ। ଏକଥା ତାଙ୍କ ବାପା ବି ଜାଣି ନଥିଲେ। ସେପଟେ ବିଦ୍ୟାଳୟକୁ ସେ ଆସୁ ନଥିବାରୁ କର୍ତ୍ତୃପକ୍ଷ ବି ଅବଗତ ହୋଇ ନଥିଲେ। ବଡ଼ଦିନ ପୂର୍ବରୁ ଅର୍ଥାତ୍ ନିଖୋଜର ୫ ଦିନ ପରେ ଝିଅ ନିଖୋଜ ହେବା କଥା ବାପା ଜାଣିବା ପରେ ରା.ଉଦୟଗିରି ଥାନାରେ ଏତଲା ଦେଇଥିଲେ। ଏନେଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଆଜି ତାଙ୍କ ଶବକୁ ପାତ୍ର ବସା ନିକଟସ୍ଥ ପାହାଡ଼ରୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଛାତ୍ରୀଙ୍କ ବାପା ଜଣେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଥିବା ଜଣାପଡ଼ିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର