କାଶୀନଗରରେ ଗୁଳିମାଡ଼, ଜଣେ ମୃତ

ପାରଳାଖେମୁଣ୍ଡି : ଆଜି ରାତିରେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଆନ୍ଧ୍ର ସୀମାବର୍ତୀ ଖୁରିଗାଁ ସୀକାପୁର ଗ୍ରାମ ବଜାର ଉପରେ ଜଣେ ଅଜ୍ଞାତ ଆତତାୟୀ ଏକ ଦୋକାନ ଭିତରକୁ ଆଖିବୁଜା ଗୁଳି ଚଳାଇଥିଲା। ଏହି ଗୁଳିକାଣ୍ଡରେ ଜଣେ ଗ୍ରାହକ ରାଧାକୃଷ୍ଣ କଳିଙ୍ଗ(୫୦) ମୃତ୍ୟୁ ଘଟିଛି। ତାଙ୍କ ପେଟରେ ୩ ରାଉଣ୍ଡ ଗୁଳି ଲାଗିଛି। ଦୋକାନୀ ଜି.ଆନନ୍ଦଙ୍କ ଗୋଡ଼ରେ ମଧ୍ୟ ଗୋଟିଏ ଗୁଳି ଲାଗିଛି। ଉଭୟଙ୍କୁ ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ରାଧାକୃଷ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ସୂଚନା ଅନୁସାରେ ଜି.ଆନନ୍ଦଙ୍କ ଦୋକାନକୁ ରାଧାକୃଷ୍ଣ ଜିନିଷ କିଣିବାକୁ ଯାଇଥିଲେ। ଏ ସମୟରେ ହଠାତ୍‌ ଅନ୍ଧାରରୁ ଜଣେ ଅଜ୍ଞାତ ବ୍ୟକ୍ତି ଚାରି ରାଉଣ୍ଡ ଗୁଳି ଚଳାଇଥିଲା। କିଏ ଓ କାହିଁକି ଗୁଳି କରିଛି, ସେ ସଂପର୍କରେ ପୁଲିସ ସ୍ପଷ୍ଟ କରିପାରି ନାହିଁ।

ସମ୍ବନ୍ଧିତ ଖବର