ପାରଳା ଆହାର କେନ୍ଦ୍ରରେ ରାତ୍ରୀ ଭୋଜନ ଶୁଭାରମ୍ଭ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ଦିନ ଭଳି ସରକାରଙ୍କ ପକ୍ଷରୁ ୫ ଟଙ୍କାରେ ଦିଆଯାଉଥିବା ଭାତ ଡାଲମା, ରାତିରେ ମଧ୍ୟ ଦିଆଯିବ। ୩୧ ତାରିଖ ରାତ୍ରୀ ୭ଟାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା।
ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଧାୟକ କେ. ସୂର୍ଯ୍ୟାରାଓ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସରୋଜ କୁମାର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମିଳିତ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।ଏହି ରାତ୍ରୀକାଳୀନ ଆହାର କେନ୍ଦ୍ରରେ ୫ ଟଙ୍କାରେ ଭାତ ଡାଲମା ଦିଆଯିବ। ଏହିପାଇଁ ରାତି ୭ଠାରୁ ୯ ମଧ୍ୟରେ ୨୫୦ ଜଣଙ୍କ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାରଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି – ଭାତ ମୁଠିଏ ଖାଇବା ଦିଗରେ କୌଣସି ଗରିବ ଲୋକ ଯେଭଳି ବଞ୍ଚିତ ହେବନାହିଁ କି ଅନାହାର ରହିବ ନାହିଁ, ସେଥିପାଇଁ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ସେମାନେ ଆଲୋଚନା ବେଳେ କହିଥିଲେ। ଯୋଜନା କାର୍ଯ୍ୟକ୍ରମ ଶୁଭାରମ୍ଭ ପରେ ଜିଲ୍ଲାପାଳ ଶ୍ରୀ ସାହା, ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ, ବିଧାୟକ ଶ୍ରୀ ରାଓ ଏବଂ ଦାୟିତ୍ବରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ମିଶ୍ର ଆହାର କେନ୍ଦ୍ରରେ ୫ ଟଙ୍କିଆ ଟିକଟ କିଣି ଧାଡି ବାନ୍ଧି ଠିଆ ହୋଇ ଭାତ ଡାଲମା ଆଣିଥିଲେ। ସାଧାରଣ ଲୋକଙ୍କ ଗହଣରେ ଖାଇବା ସହ ଆହାର କେନ୍ଦ୍ରର ଥିବା ସମସ୍ତଙ୍କୁ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର