ପାରଳା ସହରରେ ବଢୁଛି ଟ୍ରାଫିକ ସମସ୍ୟା:ପାର୍କିଂ ଜାଗା ଖାଲି, ରାସ୍ତାରେ ଗାଡ଼ି ଓ ଠେଲା

ପାରଳାଖେମୁଣ୍ଡି: ପାରଳା ସହରକୁ ଛାଡ଼ୁନି ଟ୍ରାଫିକ ସମସ୍ୟା । ମୁଖ୍ୟତଃ ବଡ଼ଦାଣ୍ଡ, କଲେଜ ରୋଡ଼, ମାର୍କେଟ ଛକ, କରଣ ସାହି ଛକ, ଫାୟର ଷ୍ଟେସନ ଛକ, ବସଷ୍ଟାଣ୍ଡ୍‌ ରୋଡରେ ଦିନ ବେଳା ଭରପୁର ଟ୍ରାଫିକ ଜାମ୍‌ ହେଉଛି । ଏହାର ସମାଧାନ କରିବା ପାଇଁ ପୌରଳିକାରେ ବାରମ୍ବାର ବୈଠକ ପରେ ସମାଧାନର ରାସ୍ତା ବାହାର କରାଯାଇ ମାର୍କେଟ ଛକ ଠାରେ ଏକ ସରକାରୀ କ୍ୱାର୍ଟରକୁ ଭଙ୍ଗାଯାଇ ବେରିକେଡ଼ିଙ୍ଗ କରାଯିବା ସହ ଗାଡ଼ିଗୁଡ଼ିିକର ପାର୍କିଙ୍ଗଂପାଇଁ ଟେଣ୍ଡର ଡକାଯାଇ କାମ ସାରି ଦିଆଗଲା । ସେହିଭଳି, କଲେଜ ଛକ ନିକଟରେ ଥିବା ଗୁଣ୍ଡିଚା ବାଡ଼ି ପଡ଼ିଆକୁ ମଧ୍ୟ ଟେଣ୍ଡର ଡକାଯାଇ କାମ ସାରିଦିଆଗଲା । ପରେ ଘୋଷଣା କରାଗଲା ଯେ ସେଇ ଜାଗାରେ ପାରଳା ପୌରପାଳିକା ତରଫରୁ ପାର୍କିଂ ପାଇଁ ସ୍ଥାନ ନିରୂପଣ କରାଗଲା । ଏହାକୁ କାଯ୍ୟର୍କାରୀ କରିବା ପାଇଁ ତତ୍କାଳୀନ ପାରଳା ଏସଡିପିଓ ଦାୟିତ୍ୱ ନେବା ସହ ଯେଉଁମାନେ ଏହାର ବ୍ୟତିକ୍ରମ କରୁଛନ୍ତି, ସେମାନଙ୍କୁ ଜରିମାନା କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ତାଙ୍କର ବଦଳି ପରେ ପୁଣି ଟ୍ରାଫିକ ସମସ୍ୟା ଯେମିତିକୁ ସେମିତି ହୋଇଯାଇଛି ।
ପାରଳା ସହରର ସବୁ ଠାରୁ ଓସାରିଆ ରାସ୍ତା ତଥା ବଡ଼ଦାଣ୍ଡ ବର୍ତ୍ତମାନ ଛୋଟ ବେପାରୀଙ୍କ କବଜାରେ ରହିଛି । କାରଣ ଗତ କିଛି ବର୍ଷ ମଧ୍ୟରେ ଏହି ରାସ୍ତାରେ ବଡ଼ବଡ଼ ସପିଙ୍ଗ ମଲ, ବ୍ୟାଙ୍କ, ଘରୋଇ ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟମାନ ଖୋଲିଛି। ଏପଟେ, ସନ୍ଧ୍ୟା ସମୟରେ ଟ୍ରାଫିକ ବ୍ୟବସ୍ଥା ବିଗାଡିବା ପାଇଁ ଚାଟ୍‌, ଗୁପୁଚୁପ, ଫାଷ୍ଟ୍‍ଫୁଡ ସହ ବିଭିନ୍ନ ପ୍ରକାର ଠେଲା ଗାଡ଼ିରେ ଖାଦ୍ୟ ପରଷୁଥିବା ଦୋକାନମାନ ମାଳମାଳ ହୋଇ ଲମ୍ବୁଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପାରଳା ପୋଲିସ ଦ୍ୱାରା ସନ୍ଧ୍ୟା ସମୟରେ ପି.ସି.ଆର ଭ୍ୟାନ ବୁଲୁଥିଲେ ମଧ୍ୟ ଏହାକୁ ସଜାଡ଼ିବାରେ ଫେଲ ହୋଇଛି ।
ସେହିଭଳି, ବଡ଼ ଦାଣ୍ଡ ଠାରୁ ମୁଖ୍ୟ ବଜାରକୁ ସଂଯୋଗ କରିଥିବା ରାସ୍ତା, କରଣ ସାହି ଛକରୁ କୁମୁଟି ସାହି ରାସ୍ତାକୁ ଅବରୋଧ କରି ପାଷ୍ଟିକ ସାମଗ୍ରୀ, ଦଉଡି, ଚୁନ, ଛାଞ୍ଚୁଣି, ପୁସ୍ତକ ଦେକାନ, ଲୁଗା ଦୋକାନ ପସରା ମେଲାଇ ବସିଛନ୍ତି । କିନ୍ତୁ, ସେମାନଙ୍କୁ ହଟାଇ ରାସ୍ତାକୁ ମୁକ୍ତ କରିବାରେ ପୌରପାଳିକା ମଧ୍ୟ ଫେଲ ହୋଇଛି । ଏଣୁ, ବର୍ତ୍ତମାନ ବ୍ରହ୍ମପୁର ଟ୍ରାଫିକ ବିଭାଗରୁ ପାରଳାଖେମୁଣ୍ଡିରେ ଦାୟିତ୍ୱ ଗ୍ରହଣ କରିଥିବା ଏସଡିପିଓ ଠାକୁର ପାତ୍ରଙ୍କ ଉପରେ ବର୍ତ୍ତମାନ ନଜର ରହିଛି ପାରଳାବାସୀଙ୍କର ।
ପାରଳାଖେମୁଣ୍ଡି ହେଉଛି ଏକ ସୁନ୍ଦର ଏବଂ ଛୋଟ ସହର । ଏହାର ଟ୍ରାଫିକ ବ୍ୟବସ୍ଥା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସେ ପୌରପାଳିକା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ସଜାଡ଼ିବା କାଯ୍ୟର୍ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର କହିଥିଲେ । ଏଣୁ, ଟ୍ରାଫିକ ସମସ୍ୟା ସଜାଡ଼ିବା ସକାଶେ ଶ୍ରୀ ପାତ୍ର ଧ୍ୟାନ ଦିଅନ୍ତୁ ବୋଲି ମତପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର