ଶେରଗଡ଼ ବ୍ଲକ ପଞ୍ଚାୟତ ଉପନିର୍ବାଚନ:ବରମୁଣ୍ଡଳି, ବ୍ରାହ୍ମଣଛାଇରେ ପତିଆରା ଲଢ଼େଇ

କୁମାରପାଣିରେ ଇଜ୍ଜତର ପ୍ରଶ୍ନ

ଶେରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକ ତିନି ପଞ୍ଚାୟତ ବରମୁଣ୍ଡଳି, ବ୍ରାହ୍ମଣଛାଇ ଓ କୁମାରପାଣିରେ ୧୯ ତାରିଖରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ ମାନେ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିସାରିଛନ୍ତି। ତିନି ପଞ୍ଚାୟତରେ ସରପଞ୍ଚ ପଦବୀରେ ଉପନିର୍ବାଚନ ହେବାକୁ ଥିବା ବେଳେ ବ୍ରାହ୍ମଣଛାଇରେ ସମିତିସଭ୍ୟ ପଦରେ ବି ମତଦାନ ହେବ। ଫଳରେ ପ୍ରାର୍ଥୀ ମାନେ ସମର୍ଥକଙ୍କ ଗହଣରେ ରଣକୌଶଳ ତିଆରି କରୁଥିବା ଦେଖିବାକୁ ମିଳିଛି। ଆଉ ଦଳର ତୁଙ୍ଗ ନେତା ବି ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି ।
ତେବେ ତିନିଟିଯାକ ପଞ୍ଚାୟତରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ବରମୁଣ୍ଡଳି ପଞ୍ଚାୟତରେ ସରପଞ୍ଚ ପଦରେ ୬ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ହେଉଛନ୍ତି ବିଜେଡି ସମର୍ଥିତ। ଫଳରେ ଏଠାରେ ପତିଆରା ଜାହିର ପାଇଁ ଲଢେଇ ହୋଇପାରିବେ। ଯିଏ ଜିତିବ ସିଏ ବିଜେଡିର ହେବ ବୋଲି ଚର୍ଚ୍ଚା ହେଉଛି। ଫଳରେ ଉକ୍ତ ତିନି ପ୍ରାର୍ଥୀ ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି।
ସେହିପରି ବ୍ରାହ୍ମଣଛାଇ ପଞ୍ଚାୟତରେ ସରପଞ୍ଚ ପଦ ଏବଂ ସମିତିସଭ୍ୟ ପାଇଁ ମତଦାନ ହେଉଛି। କିନ୍ତୁ ଏହା ସମ୍ବେଦନଶୀଳ ଭାବେ ପରିଗଣିତ ହେଉଥିବାରୁ ଏହା ଉପରେ ସଭିଙ୍କ ନଜର ରହିଛି। ଏଠାରୁ ବିଜୟୀ ପ୍ରାର୍ଥୀ ବିଜେଡି କ୍ୟାମ୍ପ୍‌ରେ ରହିବା ସୁନିଶ୍ଚିତ ହୋଇଛି।
ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୁମାରପାଣି ପଞ୍ଚାୟତରେ ବର୍ତମାନ ବିଜେଡି ସମର୍ଥିତ ପ୍ରାର୍ଥୀ ଓ ସିପିଆଇ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଦେଖିବାକୁ ମିଳିବ। ବିଜେଡି ପୂର୍ବତନ ଜିଲ୍ଳା ପରିଷଦ ସଦସ୍ୟଙ୍କ ପତ୍ନୀ ଲକ୍ଷ୍ମୀ ପ୍ରଧାନ, ସିପିଏମ୍‌ ତଥା ଓଡ଼ିଶା କୃଷକ ସଭା ଜିଲ୍ଲା କର୍ମକର୍ତା ଗୋପାଳ ପାଣିଗ୍ରାହୀଙ୍କ ପତ୍ନୀ ବିଳାସିନୀ ପାଣିଗ୍ରାହୀ ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଫଳରେ ଏହି ପଞ୍ଚାୟତ ବିଜେଡି ପାଇଁ ଇଜ୍ଜତର ପ୍ରଶ୍ନ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଗତକାଲି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବ୍ଲକ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର