‘ସମ୍ବାଦ’ର ଫୋନ ଇନ ପ୍ଲିଜ କାର୍ଯ୍ୟକ୍ରମ: କନ୍ଧମାଳରୁ ଗଞ୍ଜେଇ ଚାଷ ନିଷେଧ ହେବା ଦରକାର

ଯୁବଗୋଷ୍ଠୀ ବିପଦଗାମୀ, ପାରମ୍ପରିକ ଚାଷ କମୁଛି

ଫୁଲବାଣୀ: କନ୍ଧମାଳରେ ବଢ଼ି ଚାଲିଛି ଗଂଜେଇ ଚାଷ। ପ୍ରତିବର୍ଷ ଶହଶହ ଏକର ଜାଗାରୁ ଗଞ୍ଜେଇ ଗଛ କଟାଯାଉଛି। ଧରପଗଡ଼ କରି ଗଞ୍ଜେଇ ଚୋରା ଚାଲାଣ ବନ୍ଦ ପାଇଁ ଉଦ୍ୟମ କରାଯାଉଛି। ପ୍ରତିବର୍ଷ ଶହ ଶହ ଗାଡ଼ି ମଟର ଜବତ ହେବା ସହ ଗଞ୍ଜେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଏତେ ସବୁ ପଦକ୍ଷେପ ଓ ଧରପଗଡ ସତ୍ତ୍ୱେ କନ୍ଧମାଳରୁ ଗଞ୍ଜେଇ ଚାଷ କମିବାର ନାଁଗନ୍ଧ ଧରୁ ନାହିଁ। କନ୍ଧମାଳରୁ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନିଷେଧ ହେବା ଦରକାର ବୋଲି ଆଜି ‘ସମ୍ବାଦ’ରେ ଫୋନ ଇନ ପ୍ଲିଜରେ ଦିଆଯାଇଥିବା ଶୀର୍ଷକରେ ଅନେକ ମତାମତ ପ୍ରଦାନ କରିଛନ୍ତି।

ଟିକାବାଲିରୁ ଅଭିରାମ ପ୍ରଧାନ ନାମରେ ଜଣେ ବ୍ୟକ୍ତି କହିଛନ୍ତି, ସଲାସୁତରାରେ ଚାଲିଛି ଗଞ୍ଜେଇ ଚାଷ। ଏହା ଦ୍ଵାରା ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି। ଆଉ ଗଞ୍ଜେଇ ଚାଷ ପାଇଁ କନ୍ଧମାଳ ବି ବାହାରେ ଲଜ୍ଜିତ ହେଉଛି। ପ୍ରଶାସନ ଓ ପୁଲିସ ଆନ୍ତରିକତାର ସହ ପଦକ୍ଷେପ ନେଇ ଏଠାରୁ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନିଷେଧ କରିବା ଦରକାର ବୋଲି ସେ ମତ ଦେଇଛନ୍ତି।

ଯୁବ ସମାଜସେବୀ ସଂଜୟ କୁମାର ଭଞ୍ଜ କହିଛନ୍ତି, ଯାହା ଗଞ୍ଜେଇ ଚାଷ ରୋକିବାକୁ ଯାହା ବି ଚାଲିଛି ଉପରଠାଉରିଆ। ଯାହା କି ଗଞ୍ଜେଇ ଗଛ କଟାଯାଉଛି ତାହା ସମୁଦ୍ରକୁ ଶଙ୍ଖେ। ଦୁର୍ଗମ ଓ ଅପହଞ୍ଚ ଜାଗାରେ ହଜାର ହଜାର ଏକର ଜାଗାରେ ଗଞ୍ଜେଇ ଚାଷ ହୋଇଛି, ସେସବୁ ଜାଗାକୁ କେହି ଯାଉ ନାହାନ୍ତି। ଗଞ୍ଜେଇ ଚାଷ ହେବା ଫଳରେ ଯୁବଗୋଷ୍ଠୀ ବିପଦଗାମୀ ହେବା ସହ ଲାଭ ଅଧିକ ହେତୁ ଅନ୍ୟ ଚାଷ ପଡିଆ ପଡୁଛି। ତେଣୁ ଏ ଦିଗରେ ସମସ୍ତେ ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି।

ସେହିଭଳି ଶ୍ରମିକନେତା ଘନ କୁମାର ଶବର କହିଛନ୍ତି, ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବାକୁ ଯେଉଁ ଭଳି ଉଦ୍ୟମ ହେଉଛି ତାହା ଲୋକଦେଖାଣିଆ। ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନିଷେଧ ପାଇଁ ପ୍ରଶାସନ ଓ ପୁଲିସ ଜନପ୍ରତିନିଧିଙ୍କର ସହଯୋଗ ନେବା ଦରକାର ବୋଲି ସେ କହିଛନ୍ତି। ଆଗ ଅପେକ୍ଷା କନ୍ଧମାଳରେ ବ୍ୟାପକ ଚଢାଉ ସତ୍ତ୍ୱେ ବହୁତ ମାତ୍ରାରେ ଗଞ୍ଜେଇ ଚାଷ ହେଊଛି। ତଥାପି କମୁନି ଗଞ୍ଜେଇ ଚାଷ। ଏଥିରେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପ୍ରଛନ୍ନ ହାତ ରହୁଥିବା ନେଇ କହିଛନ୍ତି ଫୁଲବାଣୀର ଦୀପକ ବେହେରା।

ସମ୍ବନ୍ଧିତ ଖବର