ଧରପଗଡ଼ ସତ୍ତ୍ୱେ କନ୍ଧମାଳରୁ କମୁନି ଗଂଜେଇ ଚାଲାଣ, କାରରୁ ୩୫ କିଲୋ ଜବତ,୨ ଆନ୍ତଃଜିଲ୍ଲା ଅଭିଯୁକ୍ତ ଗିରଫ

ଫୁଲବାଣୀ: ଗଂଜେଇ ଚାଷ ହେଉ କି ଚାଲାଣ। ଏହାକୁ ରୋକିବା ନିମନ୍ତେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଚାଲିଛି। ପ୍ରତିବର୍ଷ ନଭେମ୍ବରଠାରୁ ଡିସେମ୍ବର ପର୍ଯ୍ୟନ୍ତ ଗଂଜେଇ ଗଛ କଟା ହେଉଛି। ଆଉ ବର୍ଷ ତମାମ ଧରପଗଡ ଜାରି ରହିଛି। ତାସତ୍ତ୍ୱେ କନ୍ଧମାଳରେ ଗଂଜେଇ ଚାଷ ଓ ଚାଲାଣ କମୁନି। ପୁଲିସ ହେଉ କି ଅବକାର ବିଭାଗ। ଗଂଜେଇ ମାଫିଆଙ୍କ ସହ ଏହି ଦୁଇ ବିଭାଗର କିଛି ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ ସଂପୃକ୍ତି ରହିଛି। ଏମିତି କି ଏସକର୍ଟ କରି ଗଂଜେଇ ଗାଡିକୁ ଜିଲ୍ଲାର ପାର କରୁଥିବା ଜଣାପଡ଼ିଛି।

କନ୍ଧମାଳରୁ ଜଗତସିଂପୁରକୁ କାରରେ ଗଂଜେଇ ଚାଲାଣ ହେଉଥିଲା। ଫିରିଙ୍ଗିଆ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଯାଞ୍ଚ କରିବା ପରେ ଓଡି-୨୪-୭୨୧୪ ନମ୍ବର ଏକ ସୁପ୍ଟଟ କାରରୁ ୩୫ କିଲୋ ଗଂଜେଇ ମିଳିଥିଲା। କାର ସହ ଗଂଜେଇ ପୁଲିସ ଜବତ କରିବା ସହ ଜଗତସିଂପୁର ରଘୁନାଥପୁରର ବାସୁଦେବ ସିଂ(୩୦) ଓ ନୟାଗଡ ଦଶପଲ୍ଲାର ବାବୁନା ସ୍ୱାଇଁ(୨୯)ଙ୍କୁ ପୁଲିସ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ନେଇ ଥାନାଧିକାରୀ ଶ୍ୟାମସୁନ୍ଦର ରାୟ କହିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଯେ, କେତେ ବେଳେ ଦାମିକା କାର ତ ଆଉ କେତେ ବେଳେ କୁଣ୍ଡା ଓ ମୁଢି ଭର୍ତ୍ତି ଗାଡିରେ ଗଂଜେଇ ଚାଲାଣ ହେଉଛି। ଚାଲାଣକାରୀମାନେ କୌଶଳକ୍ରମେ ଏଠାରୁ ଖସି ଯାଉଥିବା ବେଳେ ଗଂଜେଇ ମାଫିଆମାନେ ଅନ୍ୟ ଜିଲ୍ଲା ପୁଲିସ ହାତରେ ଧରା ପଡୁଛନ୍ତି। କନ୍ଧମାଳରେ ଗଂଜେଇ ଚାଲାଣ ବନ୍ଦ କରିବା ନିମନ୍ତେ ପୁଲିସ ଓ ଅବକାରୀ ବିଭାଗର ଧରଗପଗଡ ଜୋରଦାର ହେବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧିତ ଖବର