ଗାଡି ଛାଡି ଡ୍ରାଇଭର ଓ ମାଫିଆ ଫେରାର: ବୋଲେରୋ ପିକଅପ ଭ୍ୟାନ ସହ ସାଢେ ୯ କ୍ୱିଣ୍ଟାଲ ଗଂଜେଇ ଜବତ

କଣ୍ଟାମାଳ ଚାଲାଣ ହେଉଥିଲା, ଗାଡି ମାଲିକ ପଛରେ ପୁଲିସ

ଫୁଲବାଣୀ: କନ୍ଧମାଳ ବାଲନ୍ଦାପଡାରୁ ବୌଦ୍ଧ କଣ୍ଟାମାଳକୁ ଗଂଜେଇ ଚାଲାଣ ହେଉଥିଲା। ୫୦ କିଲୋ ନୁହେଁ କି କ୍ୱିଣ୍ଟାଲ ନୁହେଁ। ସାଢେ ୮ କ୍ୱିଣ୍ଟାଲ ଗଂଜେଇ ଚାଲାଣ ଉଦ୍ୟମ ହେଉଥିବା ବେଳେ ଗୋଛାପଡା ପୁଲିସ ଏହାକୁ ରୋକିବାରେ ସଫଳ ହୋଇଛି। ଗାଡି ଛାଡି ଡ୍ରାଇଭର ଓ ଗଂଜେଇ ମାଫିଆ ଫେରାର ହୋଇ ଯାଇଛନ୍ତି। ଗାଡି ଓ ଗଂଜେଇ ପୁଲିସ ଜବତ କରି ତଦନ୍ତ ଚଳାଇଛି।

ଆଜି ପୂର୍ବାହ୍ନରେ ଓଡି-୦୩-ଏଚ୍‌-୩୮୩୪ ନମ୍ବର ଏକ ବୋଲେରୋ ଭ୍ୟାନରେ ବିପୁଳ ପରିମାଣର ଗଂଜେଇ ବାଲନ୍ଦାପଡା ଅଞ୍ଚଳରୁ ବେଦ୍ଧ କଣ୍ଟାମାଳ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶମତେ ଗୋଛାପଡା ଥାନାଧିକାରୀ ଚିତ୍ତରଂଜନ ବେହେରାଙ୍କ ନେତୃତ୍ତ୍ୱରେ ଏକ ଟିମ ପାହିରାଜୁ ରାସ୍ତା ନିକଟରେ ଛକି ବସିଥିଲେ। ଅନତି ଦୂରରୁ ପୁଲିସକୁ ଦେଖି ଗାଡିରୁ ଓହ୍ଲାଇ ଡ୍ରାଇଭର ଓ ଜଣେ ମାଫିଆ ଦେଡି ଜଙ୍ଗଲକୁ ପଳାଇ ଯାଇଥିଲେ। ପୁଲିସ ଖୋଜାଖୋଜି କରିଥିଲେ ବି ସେମାନଙ୍କର ସନ୍ଧାନ ମିଳି ନଥିଲା। ଗାଡି ଯାଞ୍ଚ କରିବା ପରେ ସେଥିରେ ବିପୁଳ ପରିମାଣରେ ଗଂଜେଇ ଥିବା ଜଣା ପଡି ଥିଲା। ଥାନାକୁ ଆଣି ଓଜନ କରିବା ପରେ ଜବତ ଗଂଜେଇର ଓଜନ ୯ କ୍ୱିଣ୍ଟାଲ ୫୪ କିଲୋ ଥିଲା। ଏ ନେଇ କେଶ ନଂ ୪୧/୨୦୧୯ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଗାଡି ମାଲିକ ବୌଦ୍ଧ କଣ୍ଟାମାଳର। ଗାଡି ମାଲିକକୁ ଧରିବା ନିମନ୍ତେ ପୁଲିସ ତନାଘନା ଚଳାଇଥିବା ଜଣା ପଡିଛି। ମାଲିକ ଧରା ପଡିଲେ ଏଥିରେ ଆଉ କେଉଁମାନେ ସଂପୃକ୍ତ ଜଣା ପଡିବ। ଏହି ବିପୁଳ ଗଂଜେଇ ଚାଲାଣରେ ସଂପୃକ୍ତ ସମସ୍ତଙ୍କୁ ଧରାଯିବ ବୋଲି ଥାନାଧିକାରୀ ଶ୍ରୀ ବେହେରା କହିଛନ୍ତି। ନିକଟ ଭବିଷ୍ୟତରେ ଏତେ ପରିମାଣର ଗଂଜେଇ କେବେ ଜବତ ହୋଇ ନାହିଁ। ଆଜି ବିପୁଳ ପରିମାଣର ଗଂଜେଇ ଜବତ ହେବା ମୁଖ୍ୟ ଆଲୋଚନାର ବିଷୟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଓବାଦୀଙ୍କ ନାଁରେ ମିଥ୍ୟା ପୋଷ୍ଟର ମାରି ମାଫିଆମାନେ କାରବାରକୁ ଆରାମରେ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର