୧୨ ଗିରଫ: ଖଣ୍ଡା, କାତି, ଠେଙ୍ଗା ତବତ

ପୁରୁଷୋତ୍ତମପୁରରେ ଆତଙ୍କରାଜ ଘଟଣା

ପୁରୁଷୋତ୍ତମପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଅମୁଣିଆ ସାହିର ଅସାମାଜିକ ଗୋଷ୍ଠୀ ଓ କୁମାରୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୁମାରୀ ଗ୍ରାମବାସୀ ଓ ପୁରୁଷୋତ୍ତମପୁରର ହିରୋ ସୋ’ରୁମ୍‌ ମାଲିକ ପ୍ରଦୀପ କୁମାର ସାମନ୍ତରାଙ୍କ ଏତଲାକୁ ଆଧାର କରି ପୁଲିସ ଦୁଇଟି ମାମଲା ରୁଜୁ କରି ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅମୁଣିଆ ସାହିର ସୁଶାନ୍ତ ଗୌଡ଼ଙ୍କ ଘରର ଛାତ ଉପରେ ଏମାନେ ଲୁଚିଥିବା ବେଳେ ଗତକାଲି ରାତିରେ ପୁଲିସ ଚଢଉ କରି ସେମାନଙ୍କୁ କାବୁ କରିନେଇଥିଲା। ସେମାନଙ୍କଠୁ ୨ଟି ଖଣ୍ଡା, ୨ଟି କାତି ଓ ୧୦ଟି ଠେଙ୍ଗା ଜବତ କରାଯାଇଥିବା ନେଇ ଥାନା ଅଧିକାରୀ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଶାନ୍ତି ଫେରାଇ ଆଣିବାକୁ ଆଜି ଥାନା ଜଗନ୍ନାଥ ମନ୍ଦିର ପରିସରରେ କୁମାରୀ ଗ୍ରାମବାସୀ ଓ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଅମୁଣିଆ ସାହି ଅସାମାଜିକ ଗୋଷ୍ଠୀଙ୍କ ପକ୍ଷରୁ କେହି ବି ଯୋଗ ଦେଇ ନଥିଲେ। ତେବେ ଘଟଣାକୁ ନେଇ ପୁରୁଷୋତ୍ତମପୁରରେ ଆଜି ବି ସାରାଦିନ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି କଲେଜ ଛକ, କୁମାରୀ, ଅମୁଣିଆ ସାହିରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର