କାଠ ମାଫିଆଙ୍କ ଆକ୍ରମଣ : ୨୫ ବନ କର୍ମଚାରୀ ଆହତ

ସୋରଡ଼ା/ଅଡ଼ବା : ଗଂଜାମ ଜିଲ୍ଲା ବଡ଼ଗଡ଼ ବନାଞ୍ଚଳ ଅଧୀନ ଗୌଡ଼ଗୋଠ ବାଲିନାଳ ସଂରକ୍ଷିତ ଜଙ୍ଗଲକୁୁ ଚଢ଼ଉ ପାଇଁ ଯାଇଥିବା ବନବିଭାଗ କର୍ମଚାରୀଙ୍କୁ କାଠ ମାଫିଆ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଦୁଇଟି ଗାଡ଼ିକୁ ଭାଙ୍ଗି ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତୀର, ଟାଙ୍ଗିଆ, ଠେଙ୍ଗା ମାଡ଼ରେ ବଡ଼ଗଡ଼, ମୋହନା ଓ ଅଡ଼ବା ବନାଞ୍ଚଳର ୨୫ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି।

ଗତକାଲି ସନ୍ଧ୍ୟାରେ ବନବିଭାଗର କର୍ମଚାରୀ ମାନେ କାଠ ଜବତ ପାଇଁ ପହଞ୍ଚିଥିବା ବେଳେ ୫୦ରୁ ଅଧିକ ପୁରୁଷ ଓ ମହିଳା କାତି, ଟାଙ୍ଗିଆ ଓ ଠେଙ୍ଗା, ଧନୁଶର ଧରି ଆକ୍ରମଣ ଘଟାଇଥିଲେ। ଖାଲି ଏତିକି ନୁହେଁ, ପ୍ରାଣ ବିକଳରେ ନିରସ୍ତ୍ର କର୍ମଚାରୀ ମାନେ ଛତ୍ରଭଂଗ ଦେଇଥିବା ବେଳେ ବନରକ୍ଷୀ ଉମାକାନ୍ତ ରାଉତ, ଶଙ୍କର ସ୍ୱାଇଁ ଓ ନିରଞ୍ଜନ ଦାସଙ୍କୁ ସେମାନେ ଅପହରଣ କରି ନେଇଥିଲେ। ଆଜି ଭୋର୍‌ରେ ବଡ଼ଗଡ଼ ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ମାଫିଆ ମାନେ ବନବିଭାଗର ବୋଲେରୋ ଓ ଏକ ୪୦୭ ମିନିଟ୍ରକ୍‌କୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି। ପୁଲିସ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଏଥିରେ ମାଓବାଦୀଙ୍କ ସଂପୃକ୍ତିକୁ ନେଇ ମଧ୍ୟ ସନ୍ଦେହକୁ ଏଡ଼ାଇ ଦିଆଯାଇପାରିବନି ବୋଲି କୁହାଯାଇଛି। ଆହତ ମାନେ ମୋହନା, ଅଡ଼ବା ଓ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କୌଣସି ଏତଲା ଦାୟର ହୋଇ ନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ବାଲିନାଳ ସଂରକ୍ଷିତ ଜଙ୍ଗଲରେ ଟ୍ରକ୍‌ ଯୋଗେ ଚୋରା ଶାଳକାଠ ଚାଲାଣ ହେଉଥିବା ଖବର ପାଇ ବଡ଼ଗଡ଼ ରେଞ୍ଜର ନରସିଂହ ବେହେରା ଏବଂ ତାଙ୍କ ଟିମ ଓ ମୋହନା, ଅଡ଼ବା ଷ୍ଟାଫ ମିଳିତ ଭାବେ ଚଢଉ ପାଇଁ ମୋଟ ୨୭ଜଣ ବାହାରି ଥିଲେ। ଗୋଟିଏ ବୋଲେରୋ ଓ ଗୋଟିଏ ୪୦୭ ମିନିଟ୍ରକ୍‌ ନିଆଯାଇଥିଲା। କାଠ ଜବତ ବେଳେ ହଠାତ୍‌ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କାଠ ମାଫିଆ ମାନେ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସାଥିରେ କିଛି ମହିଳା ବି ଥିଲେ। ଗାଡ଼ି ଉପରକୁ ଟେକା ପଥର ଫୋପାଡ଼ିବା ସହ କାଠଗଣ୍ଡି ଆଣି ପକାଇ ଦେଇଥିଲେ। ଫଳରେ କାଚ ସବୁ ଭାଙ୍ଗିଯାଇଥିଲା। ନିରସ୍ତ୍ର କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ସେମାନେ କାତି, ଖଣ୍ଡା, ଠେଙ୍ଗା, ଟାଙ୍ଗିଆ ଆଦିରେ ଆକ୍ରମଣ କରିଥିଲେ। ଭୟରେ ଥିବା କର୍ମଚାରୀ ମାନେ ଜଙ୍ଗଲରୁ ଛତ୍ରଭଂଗ ଦେଇଥିଲେ। ତିନିଜଣ କର୍ମଚାରୀଙ୍କୁ ସେମାନେ ଅପହରଣ କରି ନେଇଥିଲେ। ଏହାସହ ଏକ ରାଇଫଲ୍‌ ବି ଛଡ଼ାଇ ନେଇଯାଇଥିଲେ।

ସମ୍ବନ୍ଧିତ ଖବର