ଚଳନ୍ତା କାର୍‌କୁ ବୋମାମାଡ଼ : ଚିକେନ୍‌ ରବି ହତ୍ୟାକାଣ୍ଡ ଅଭିଯୁକ୍ତ ସମେତ ୪ ଆହତ, ୪ ଅଫୁଟା ବୋମା, ବାଇକ୍‌ ଜବତ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦୀର୍ଘଦିନ ପରେ ଫୁଟିଛି ବୋମା। ଆଉ ମୁଣ୍ଡ ଟେକିଛି ଗ୍ୟାଙ୍ଗ୍‌ଓ୍ଵାର୍‌। ସ୍ପଷ୍ଟ ଦିବାଲୋକରେ ଅପରାଧୀ ଗୋଷ୍ଠୀ ସେମାନଙ୍କ ପ୍ରତିପକ୍ଷ ଗୋଷ୍ଠୀର ଏକ ଚଳନ୍ତା କାର୍‌ ଉପରେ ବୋମା ମାଡ଼ କରିଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଇନ୍ଦିରା ନାୟକ କଲ୍ୟାଣ ମଣ୍ଡପ ନିକଟ ଆନନ୍ଦନଗର ଛକରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ଲାଞ୍ଜିପଲ୍ଲୀ ଡିିପୋ ସାହିର ସୁଶାନ୍ତ ବିଷୋୟୀ, ପୁତୁରା ରାଜେଶ ବିଷୋୟୀ, ଗୋପି ପାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସୁଶାନ୍ତ ହେଉଛନ୍ତି ୨୦୧୦ ମସିହାରେ ବହୁଚର୍ଚ୍ଚିତ ରବୀନ୍ଦ୍ର ବେହେରା ଓରଫ୍‌ ଚିକେନ୍‌ ରବି ହତ୍ୟାକାଣ୍ଡର ଅଭିଯୁକ୍ତ। ଗତ କିଛି ଦିନ ତଳେ ସେ ଜାମିନ୍‌ରେ ଜେଲ୍‌ରୁ ମୁକୁଳି ଥିଲେ। ଆହତଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସୁଶାନ୍ତ ଓ ଗୋପିଙ୍କୁ ଅଧିକ ଆଘାତ ଲାଗିଥିବା ଜଣାପଡ଼ିଛି।

ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ୪ଟି ଅଫୁଟା ବୋମା ଓ ଦୁର୍ବୃତ୍ତ ମାନେ ଛାଡ଼ି ପଳାଇଥିବା ଏକ ବାଇକ୍‌ ଜବତ କରାଯାଇଛି। ସେହିପରି ସେହି ଛକରେ ସିସି କ୍ୟାମେରା ଲାଗିଥିବା ବେଳେ ପୁଲିସ ସେଥିରୁ ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ବୋମାମାଡ଼ ଘଟଣା ପଛରେ ପୂର୍ବଶତ୍ରୁତା ଥିବା ନେଇ ପୁଲିସ ସନ୍ଦେହ କରୁଛି। ଏହି ଘଟଣାକୁ ନେଇ ଲାଞ୍ଜିପଲ୍ଲୀ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ରବୀନ୍ଦ୍ର ବେହେରା ଓରଫ୍‌ ଚିକେନ୍‌ ରବି ହତ୍ୟାକାଣ୍ଡରେ ପୁଲିସ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଡିିପୋସାହି ନିବାସୀ ସୁଶାନ୍ତ ସମେତ ତାଙ୍କର ଦୁଇ ପୁଅଙ୍କୁ ଗିରଫ କରିଥିଲା। ସୁଶାନ୍ତ ଗତ କିଛିଦିନ ତଳେ ଜେଲ୍‌ରୁ ଜାମିନ୍‌ରେ ମୁକୁଳି ଥିଲେ। ପ୍ରତି ରବିବାର ପ୍ରତ୍ୟେକ ଥାନାରେ ଅପରାଧୀ ମାନଙ୍କୁ ସୁଧାରିବା ପାଇଁ ବ୍ରହ୍ମପୁର ପୁଲିସ ତରଫରୁ ‘ପ୍ରୟାସ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିପାଇଁ ସକାଳ ପ୍ରାୟ ୮ଟା ୧୫ମିନିଟ୍‌ରେ ସୁଶାନ୍ତ ଏକ କାର୍‌ (ଓଡି୦୨-ଜେ-୬୦୬୦)ରେ ପୁତୁରା ରାଜେଶ, ଗୋପି ଓ ଅନ୍ୟ ଜଣେ ସହଯୋଗୀ ସହିତ ଗୋସାଇଁନୂଆଗାଁ ଥାନାକୁ ହାଜିରା ଦେବାକୁ ଯାଉଥିଲେ।

ଘରୁ ବାହାରି ପ୍ରାୟ ଶହେ ମିଟର୍‌ ଯିବା ପରେ ଇନ୍ଦିରା ନାୟକ କଲ୍ୟାଣ ମଣ୍ଡପ ଛକରେ ଦୁଇଟି ବାଇକ୍‌ରେ ଥିବା ପ୍ରାୟ ୫ଜଣ ଯୁବକ ଅତର୍କିତ କାର୍‌ ଉପରକୁ ବୋମା ଫିଙ୍ଗିଥିଲେ। ଆଗ ସିଟ୍‌ରେ ବସିଥିବା ସୁଶାନ୍ତ ଗାଡ଼ିରୁ ଓହ୍ଲାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତ ମାନେ ପୁଣି ଏକ ବୋମା ଫିଙ୍ଗିଥିଲେ। ଏଥିରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର