ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ଅଧିକ ବୋମାମାଡ଼, ଜଣେ ମୃତ, ୮ ଆହତ, ୭ ପ୍ଲାଟୁନ ପୁଲିସ ମୁତୟନ

ବ୍ରହ୍ମପୁର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କଣ୍ଟିଆଗଡ଼ ଗାଁରେ ବୁଧବାର ସନ୍ଧ୍ୟାରେ ୧୫ରୁ ଅଧିକ ବୋମାମାଡ଼ ହୋଇଛି। ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳରେ ହୋଇଥିବା ଏହି ବୋମାମାଡ଼ରେ ଶିବ ପଲେଇଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ୮ରୁ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଫୋର୍ସ କଣ୍ଟିଆଗଡ଼କୁ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। କଣ୍ଟିଆପଡ଼ା ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ୭ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ଦୀର୍ଘ ଦିନରୁ ବିବାଦ ଦେଇ ଚାଲିଥିବା କଣ୍ଟିଆଗଡ଼ ଗ୍ରାମରେ ୨୦୧୨ରେ ପିଣ୍ଟୁ ସ୍ୱାଇଁ ନାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ୧୨ରୁ ୧୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ଅଭିଯୁକ୍ତମାନେ ଜେଲରେ ଥିଲେ ଓ କିଛି ମାସ ତଳେ ଜାମିନରେ ଆସିଥିଲେ। କିନ୍ତୁ ଗାଁ ଲୋକଙ୍କ ଭୟରେ ଏମାନେ କଣ୍ଟିଆଗଡ଼କୁ ନଆସି ବାହାରେ ରହୁଥିଲେ। ଆଜି ଗାଁକୁ ଫେରିବା ସମୟରେ ଗାଁ ଲୋକେ ଜେଲ ଫେରନ୍ତା ବ୍ୟକ୍ତିମାନଙ୍କୁ ବିରୋଧ କରିଥିଲେ ଫଳରେ ବିବାଦ ବଢ଼ିଥିଲା ଓ ଶେଷରେ ବୋମାମାଡ଼ ହୋଇଥିଲା। ବୋମାମାଡ଼ରେ ଉଭୟ ଗୋଷ୍ଠୀର ୮ରୁ ୯ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତେଜନାପୂର୍ଣ୍ଣ ଗାଁକୁ ଛତ୍ରପୁର ଏସ୍‌ଡିପିଓ ରମେଶ ସେଠୀ ଓ ରମ୍ଭା ଆଇଆଇସି ପୁଲିସ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର