ବ୍ଲକ ଯୁବ ବିଜେଡି ସଭାପତିଙ୍କ ସମେତ ୯ଜଣଙ୍କୁ ଆଜୀବନ ଜେଲ୍‌

ପୂର୍ବତନ ସରପଞ୍ଚଙ୍କ ପୁଅକୁ ହତ୍ୟା ମାମଲା

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଢ଼ିହପଢ଼ାଳ ପୂର୍ବତନ ସରପଂଚ ପ୍ରମିଳା ଗୌଡ଼ଙ୍କ ପୁଅ ଦ୍ୱିତୀକୃଷ୍ଣ ଗୌଡ଼ ଓରଫ ଲାଲୁ ଗୌଡ଼ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭଂଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିଧାନ କୁମାର ଚାନ୍ଦ ଆଜି ଏସ୍‌ଟି-୧୧୩/୧୩ ମାମଲାର ଶୁଣାଣି କରି ୨୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୯ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫ ହଜାର ଲେଖାଏଁ ଜରିମାନା ଦେବାକୁ ରାୟ ଦେଇଛନ୍ତି। ଅନ୍ୟ ୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡ଼ିଛି। ପୂର୍ବତନ ସରପଂଚ କୁଲୁ ଭୁୟାଁ, ସରପଂଚ ସୁଜିତ ଭୁୟାଁ, ମନୋରଂଜନ ବିଷୋୟୀ, ରବି ଭୁୟାଁ, ରବି ମଲ୍ଲିକ, ପଂଚାନନ ବେହେରା, ମନୋଜ ଜେନା, ପ୍ରଭାକର ଗୌଡ଼, ନୀଳମଣି ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେଭଳି ଏହି ମାମଲାରେ ବସନ୍ତ ପ୍ରଧାନ, ସୁଶାନ୍ତ ନାୟକ, ସଂଜୟ ସ୍ୱାଇଁ, ଦ୍ୱିତୀକୃଷ୍ଣ ସ୍ୱାଇଁ, ଦିଲ୍ଲୀପ ମଲ୍ଲିକ, ସୀମା ମହରାଥା, ଦିଲ୍ଲୀପ ସ୍ୱାଇଁ, ମୁଣ୍ଡ ଗୌଡ଼ ପ୍ରମୁଖ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା କୁଲୁ ଭୁୟାଁ ସଂପ୍ରତି ଭଂଜନଗର ବ୍ଲକ ଯୁବ ବିଜେଡି ସଭାପତି ଥିବା ବେଳେ ତାଙ୍କ ଭାଇ ସୁଜିତ ଭୁୟାଁ ବର୍ତମାନ ଢ଼ିହପଡାଲ ପଂଚାୟତର ସରପଂଚ ଅଛନ୍ତି। ଆଜିର ରାୟ ବିରୋଧରେ ଉପର କୋର୍ଟକୁ ଯିବେ ବୋଲି କୁଲୁ ଭୁୟାଁ କହିଛନ୍ତି।

ସମ୍ବନ୍ଧିତ ଖବର