ପିଶାଚଙ୍କ ହାତରେ ଝଡ଼ିପଡ଼ୁଛି ନିଷ୍ପାପ ଜୀବନ : ପ୍ରେମ ପାଇଁ ଶିଶୁକୁ ହତ୍ୟା

ଅପହରଣ ପରେ ପଥରରେ ଛେଚିଦେଲା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଇଲାକାରେ ହୋଇଥିବା ଶିଶୁ ଅପହରଣ ଓ ହତ୍ୟା ଭଳି ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଏହି ଘଟଣାରେ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜନୈକା ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରିବାକୁ ଯାଇ ଶେଷରେ ଅପହରଣକାରୀ ୭ବର୍ଷର କୋମଳମତି ଶିଶୁର ମୁଣ୍ଡକୁ ପଥରେ ଛେଚି ହତ୍ୟା କରିବାକୁ ପଛାଇ ନାହିଁ। ପୁଲିସ୍‌ ତାକୁ ଧରିବା ପରେ ସେ ନିଜ ଅପରାଧର ସ୍ବୀକାର କରିଛି।

ଏହି ଲୋମହର୍ଷକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦେବାଶିଷ ପଣ୍ଡା(୩୦)। ଦେବାଶିଷର ଘର ଯାଜପୁରର ଯଖପୁରା ଅଞ୍ଚଳରେ। ସେ କଳିଙ୍ଗନଗରଠାରେ ଏକ ଷ୍ଟିଲ୍‌ ପ୍ଲାଣ୍ଟରେ କାମ କରୁଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି ଯେ, ବିଜିପୁର ତୋଟାସାହି ନିବାସୀ କୈଳାସନାଥ ଆଚାର୍ଯ୍ୟଙ୍କ ଝିଅ ନିରୂପାରାଣୀ ଆଚାର୍ଯ୍ୟ ଗୋସାଇଁନୂଆଗାଁ ଥାନା ସଦାନନ୍ଦ ବିହାରରେ ଏଭ ଭଡ଼ାଘରେ ରହୁଛନ୍ତି। ସ୍ବାମୀ ପାଖରେ ରହୁ ନଥିବାବେଳେ ନିରୂପାରାଣୀ ଏକ ମାତ୍ର ପୁଅ ଆଶିଷ ଅଂଶୁମାନ(୭) ସହିତ ସେଠାରେ ରହୁଥିଲେ। ପ୍ରାୟ ଦେଢ଼ବର୍ଷ ତଳେ ନିରୂପାରାଣୀ ଫେସ୍‌ବୁକ୍‌ ଜରିଆରେ ଦେବାଶିଷଙ୍କ ସହିତ ପରିଚିତ ହୋଇଥିଲେ। ନିରୂପାରାଣୀ ତାଙ୍କୁ ଧର୍ମଭାଇ ଭାବେ ଗ୍ରହଣ କରିଥିଲେ। ଯାହାର ଫାଇଦା ନେଇ ଦେବାଶିଷ ବାରମ୍ବାର ନିରୂପାଙ୍କ ଘରକୁ ଆସୁଥିଲେ। ବାରମ୍ବାର ଘରକୁ ଯିବା ଆସିବା ମଧ୍ୟରେ ଦେବାଶିଷ ନିରୂପାଙ୍କୁ ଏକତରଫା ପ୍ରେମ କରିବସିଥିଲେ। କିନ୍ତୁ ନିରୂପାଙ୍କୁ ଏହି କଥା ଆଦୌ ଜଣା ନଥିଲା ବୋଲି ପୁଲିସ କହିଛି।

ନିରୂପାଙ୍କ ପାଖରେ ପୁଅ ଆଶିଷ ରହୁଥିବାରୁ ଦେବାଶିଷ ତା’ର ମନ୍ଦ ଉଦ୍ଦେଶ୍ୟକୁ ସଫଳ କରିପାରୁ ନଥିଲା। ସେଥିପାଇଁ ଆଶିଷକୁ ରାସ୍ତାରୁ ହଟାଇବା ପାଇଁ ଦେବାଶିଷ ଷଡ଼ଯନ୍ତ୍ର କରିଥିଲା।

ଗତ ୧୨ତାରିଖ ଦିନ ତାକୁ ସ୍କୁଲରେ ଛାଡ଼ି ଦେବାକୁ କହି ଦେବାଶିଷ ନିରୂପାଙ୍କ ସ୍କୁଟିରେ ଆଶିଷକୁ ଘରୁ ନେଇ ଯାଇଥିଲା। ସେହି ଦୃଶ୍ୟ ଗୋସାଇଁ ନୂଆଗାଁ ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ ହୋଇଛି। କିନ୍ତୁ ସ୍କୁଲ ଛୁଟି ପରେ ଆଶିଷ ଘରକୁ ଫେରି ନଥିଲା। ଦେବାଶିଷର ଫୋନ୍‌ ନମ୍ବର ମଧ୍ୟ ବନ୍ଦ ରହିଥିଲା। ଫଳରେ ତାଙ୍କର ଦେବାଶିଷ ଉପରେ ସନ୍ଦେହ ହୋଇଥିଲା। ଶିଶୁଟି ଦୀର୍ଘ ସମୟ ଧରି ନିଖୋଜ ରହିବା ପରେ ବାଧ୍ୟ ହୋଇ ମା’ ନିରୂପା ପୁଅର ନିଖୋଜ ସମ୍ପର୍କରେ ଗୋସାଇଁନୂଆଗାଁ ଥାନାରେ ରିପୋର୍ଟ କରିଥିଲେ।

ଏହାପରେ ପୁଲିସ୍‌ ଫୋନ୍‌ ଟ୍ରାକିଂ ବଳରେ ଦେବାଶିଷର ସନ୍ଧାନ ପାଇଥିଲା। ଏକ ଟିମ୍ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଯାଇ ଦେବାଶିଷକୁ ଧରିଥିଲା।

ସେ ତାର ଜଣେ ବନ୍ଧୁଙ୍କ ଘରେ ଲୁଚିଥିଲା ବୋଲି ପୁଲିସ କହିଛି। ଆଜି ତାକୁ ବ୍ରହ୍ମପୁର ଆଣିବା ପରେ ଶବ ଫୋପାଡ଼ି ଥିବା ସ୍ଥାନକୁ ନିଆଯାଇଥିଲା। ସେଠାରୁ ପୁଲିସ ଆଶିଷର ଶବ ଜବତ କରିଛି। ଆଶିଷ ସ୍କୁଲ ପୋଷାକରେ ଥିବା ବେଳେ ତାର ମୁଣ୍ଡକୁ ପଥରେ ଛେଚି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ଅଭିଯୁକ୍ତ‌ ଦେବାଶିଷ ମଧ୍ୟ ସ୍ବୀକାର କରିଛି। ତାକୁ ‌ଗୋସାଇଁନୂଆଗାଁ ଥାନା କେସ୍‌ ନମ୍ବର ୩/୧୯ରେ ଅପହରଣ ଓ ହତ୍ୟା ମାମଲାରେ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର