ଗଞ୍ଜେଇ ନିଶାରେ ଉନ୍ମତ୍ତ କାଣ୍ଡ : ନାବାଳକ ଭାଇକୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ

ବୁଗୁଡ଼ା : ଗଞ୍ଜେଇ ନିଶାରେ ଜଣେ ମାତାଲ ଯୁବକ ନାବାଳକ ଭାଇକୁ ଗଳା କାଟି ହତ୍ୟା କରିଛି।ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ନାବାଳକର ନାଁ ନିଲୁ ପାତ୍ର (୧୪)। ପୁଲିସ ଅଭିଯୁକ୍ତ ବିନୋଦ ପାତ୍ରକୁ ଗିରଫ କରିଛି।

ମିଳିଥିବା ସୂଚନାନୁସାରେ, ନିଲୁ ବାପମା ଛେଉଣ୍ଡ ହୋଇଥିବା ବେଳ‌େ ବଡ଼ବାପାଙ୍କ ପାଖରେ ବୁଗୁଡ଼ା-ବେତାରସିଂ ରାସ୍ତା ମାଳି‌ଝୋଳା ମନ୍ଦିର ନିକଟରେ ଥିବା ଏକ ବିଦ୍ୟାଳୟର ପରିତ୍ୟକ୍ତ କୋଠାରେ ରହି ଘୁଷୁରୀ ଚରାଉଥିଲା। ଗତକାଲି ସନ୍ଧ୍ୟା ୭ଟାରେ ନିଲୁ ତାର ବଡ଼ବାପାଙ୍କ ପୁଅ ତଥା ଭାଇ ପିଙ୍କୁଙ୍କ ସହ ମାଳିଝୋଳା ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଢାବାକୁ ଶୋଇବା ପାଇଁ ଯାଇଥିଲା। ତେବେ ବର୍ଷା ପାଣି ପଡ଼ିବାରୁ ନିଲୁକୁ ‌ପିଙ୍କୁ ଘରକୁ ପଠାଇ ଦେଇଥିଲେ। ନିଲୁ ବାରଣ୍ଡାରେ ଶୋଇଥିବା ଭାଇ ବିନୋଦ ପାଖକୁ ଯାଇଥିଲା। ତେବେ ଗଞ୍ଜେଇ ନିଶାରେ ହିତାହିତ ହରାଇଥିବା ବିନୋଦ ନିଲୁକୁ ହଠାତ୍ ମନ୍ଦିର ନିକଟକୁ ନେଇ ଧାରୁଆ ଛୁରୀରେ ପେଟକୁ ଆଘାତ ଦେବା ସହ ଗଳା କାଟି ହତ୍ୟା କରିଥିଲା। ଏହା ପରେ ଘୋଷାଡ଼ି ଘୋଷାଡ଼ି ଆଣି ମନ୍ଦିର ପଛପାଖରେ ଫୋପାଡ଼ି ଦେଇଥିଲା।

ଆଜି ସକାଳୁ ଏହି ଘଟଣା ପ୍ରଚାର ହେବା କ୍ଷଣି ଲୋକେ ରୁଣ୍ଡ ହୋଇଥିଲେ। ବିନୋଦର ପ୍ୟାଣ୍ଟରେ ରକ୍ତ ଲାଗିଥିଲା। ଏହାସହ ତାର କାଣି ଅଙ୍ଗୁଳିରେ ଆଘାତ ଲାଗିଥିବାରୁ ବ୍ୟାଣ୍ଡେଜ୍ ଲଗାଇଥିଲା। ନିଲୁ ମୋତେ କମେଣ୍ଟ କରିବାକୁ ମୁଁ ତାକୁ ମାରିଦେଲି ବୋଲି ବିନୋଦ ଲୋକଙ୍କୁ କହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବି‌ନୋଦକୁ ଗିରଫ କରିଥିବା‌ବେଳେ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର