ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ପୁଲିସର ତନାଘନା ଆରମ୍ଭ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ଛକରେ ଥିବା ଏକ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଚୋରମାନେ ବ୍ୟାଙ୍କରେ ପଶିଥିଲେ ସୁଦ୍ଧା କୌଣସି ସାମଗ୍ରୀ କି ଟଙ୍କା ଚୋରି କରିପାରି ନାହାନ୍ତି। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ବୈଦ୍ୟନାଥପୁର ଥାନା ଅଧିକାରୀ ଜେ.କେ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗଜପତିନଗର ଛକରେ ଥିବା ଏକ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଏସ୍‌ବିଆଇର ଖୋଡ଼ାସିଙ୍ଗି ଏଡିବି ଶାଖା ରହିଛି। ଆଜି ସକାଳେ ଶାଖାର ଭାରପ୍ରାପ୍ତ ମ୍ୟାନେଜର ମଦନମୋହନ ପ୍ରଧାନ ଓ କର୍ମଚାରୀ ଶରତ ମହାପାତ୍ର ବ୍ୟାଙ୍କରେ ପହଞ୍ଚିଥିଲେ। ସେମାନେ ଭିତରେ ପଶି ଦେଖିବା ବେଳେ ସିସି କ୍ୟାମେରା ଉପରେ ଏକ ଗାମୁଛା ପଡ଼ିଥିବା ଦେଖିବାକୁ ପାଇଥିଲେ। କୌଣସି ଅଘଟନର ସନ୍ଦେହ କରି ସେମାନେ ଟଙ୍କା ରହୁଥିବା ଆଇରନ୍‌ ଚେଷ୍ଟ ଥିବା ରୁମ୍‌କୁ ଯାଇଥିଲେ। ସେଠାରେ ଆଲମିରାର ଲକ୍‌ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।

ଏ ନେଇ ଭାରପ୍ରାପ୍ତ ମ୍ୟାନେଜର ଶ୍ରୀ ପ୍ରଧାନ ତୁରନ୍ତ ବୈଦ୍ୟନାଥପୁର ଥାନାକୁ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚୋରମାନେ ଗତରାତି ବ୍ୟାଙ୍କ ପାର୍ଶ୍ୱରେ ଅନ୍ୟ ଏକ ଘର ଛାତରେ ଚଢ଼ି ଏସି ଝରକା ଦେଇ ଭିତରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଚୋରି ଘଟଣା ରେକର୍ଡ ନହେଉ, ସେଥିପାଇଁ ସେମାନେ ସିସି କ୍ୟାମେରା ଉପରେ ଗାମୁଛା ଘୋଡ଼ାଇ ଦେଇଥିଲେ ବୋଲି ପୁଲିସ ଅନୁମାନ କରୁଛି। ଆଇରନ୍‌ ଚେଷ୍ଟର ଚାବି ଖୋଜିବା ବେଳେ ଚୋରମାନେ ଆଲମିରା ଲକ୍‌ ଭାଙ୍ଗିଥିବା ଅନୁମାନ କରାଯାଉଛି। କିନ୍ତୁ ଚୋରମାନେ ବ୍ୟାଙ୍କରୁ କିଛି ଚୋରି କରିପାରି ନାହାନ୍ତି। ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର