ବ୍ୟାଙ୍କରୁ ୨୫ ଲକ୍ଷ ଲୁଟିଥିବା ଦିବାକର ଗିରଫ

ମୋବାଇଲ ଟ୍ରେଡିଂ ଠକେଇର ଗଂଜାମ ଲିଙ୍କ୍‌

ହିଞ୍ଜିଳିକାଟୁ : ମୋବାଇଲ ଟ୍ରେଡିଂ ନାଁରେ ନିଜର ପେଟିଏମ୍‌ ଓ୍ଵାଲେଟ୍‌ ଖୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୨୫ ଲକ୍ଷରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ଠକ ଧରାପଡ଼ିଛି। ବ୍ୟାଙ୍କ ଶାଖା ପରିଚାଳକଙ୍କ ଅଭିଯୋଗ କ୍ରମେ ପୁଲିସ ହିଞ୍ଜିଳିକାଟୁ ବଇଁଚବଣିଆ ଗାୟତ୍ରୀ ନଗର ଦ୍ୱିତୀୟ ଲାଇନ୍‌ ବାସିନ୍ଦା ଦିବାକର ନାୟକ(୩୫)ଙ୍କୁ ଗିରଫ କରିଛି।

ଦିବାକରକୁ ଜେରା ବେଳେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସାରା ଦେଶରେ ଏହି ବ୍ୟାଙ୍କର ସର୍ଭର୍‌ କୋଡ୍‌ ହ୍ୟାକିଂ କରି ୮୧ କୋଟିରୁ ଉର୍ଧ୍ୱ ଟଙ୍କାର ଠକେଇର କଥା ପଦାକୁ ଆସିଛି। ସେଥିରୁ ଓଡ଼ିଶା ଜୋନରେ ୮୧ ଲକ୍ଷ ଟଙ୍କାର ଠକେଇ ହୋଇଛି। କେବଳ ହିଞ୍ଜିଳିକାଟୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ପ୍ରାୟ ୨୫ ଲକ୍ଷ ୨୦ ହଜାର ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। ଏଥିରେ ସଂପୃକ୍ତ ଦିବାକରଠାରୁ ପୁଲିସ ନଗଦ ୧୦ ଲକ୍ଷ ୩୫ ହଜାର ଟଙ୍କା ସମେତ ଲୁଟ୍‌ ଟଙ୍କାରେ କିଣା ହୋଇଥିବା ୪ ଭରି ସୁନା, ୨ଟି ସାମସଙ୍ଗ ମୋବାଇଲ ଫୋନ୍‌, ପରିବାର ସଦସ୍ୟ ଓ ନିଜ ନାମରେ ଥିବା ୨ଟି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପାସବୁକ୍‌, ୨ଟି ଆଇସିଆଇସିଆଇ ବ୍ୟାଙ୍କ ପାସ ବୁକ୍‌ ଏବଂ ୪ଟି ଏଟିଏମ୍‌ କାର୍ଡ ଜବତ କରିଛି। ପେଟିଏମ୍‌ ଓ୍ଵାଲେଟ୍‌ ମାଧ୍ୟମରେ ବ୍ୟାଙ୍କ ଏକାଉଣ୍ଟରୁ ୨୫୨ ଥରରେ ସେ ୨୫ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିଲା। ଦିବାକରକୁ ଆଜି କୋର୍ଟ ଚାଲାଣ କରାଯାଇଛିି। ଘଟଣାରେ ଅଧିକ ବ୍ୟକ୍ତି ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରୁଛି । ଏଣୁ, ଦିବାକରଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ହିଞ୍ଜିଳି ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର