ବ୍ରହ୍ମପୁର ଚିଟ୍‌ଫଣ୍ଡ କୋର୍ଟର ପ୍ରଥମ ରାୟ: ପ୍ରମାଣ ଅଭାବରୁ ଏଜେଣ୍ଟ ନିର୍ଦ୍ଦୋଷ

ବ୍ରହ୍ମପୁର: ବ୍ରହ୍ମପୁରରେ ସ୍ଥାପିତ ହୋଇଥିବା ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟର ପ୍ରଥମ ରାୟ ପ୍ରକାଶ ପାଇଛି। ଏକ ମାମଲାର ଶୁଣାଣି କରି ଚିଟ୍‌ଫଣ୍ଡ କୋର୍ଟ ଜଜ୍ ଦୀପ୍ତିରଂଜନ କାନୁନ୍‌ଗୋ ପ୍ଲୋଭେର୍ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନିର ଏଜେଣ୍ଟ ତଥା ଅବସରପ୍ରାପ୍ତ ଶିକ୍ଷକ ଲାବଣ୍ୟ ଶବରଙ୍କୁ ପ୍ରମାଣ ଅଭାବ ଯୋଗୁଁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଗଜପତି ଜିଲ୍ଲା ରାୟଗଡ଼ା ଥାନା କଦମତଳା ଗ୍ରାମର ମୁରେଙ୍ଗି ଭୂୟାଁ ନାମ୍ନୀ ଜନୈକା ମହିଳାଙ୍କୁ ପ୍ଲୋଭେର୍ କମ୍ପାନିର ଏଜେଣ୍ଟ ଲାବଣ୍ୟ ଏକ ଯୋଜନାରେ ଟଙ୍କା ଜମା କରିବାକୁ କହିଥିଲେ। ମାସିକ ୬ଶହ ଟଙ୍କା ୭ବର୍ଷ ପର୍ଯ୍ୟନ୍ତ ଜମା କରିବା ପରେ ଅଧିକ ସୂଧ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ମୁରେଙ୍ଗି ୭ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲେ। ମେଚ୍ୟୁରିଟି ପରେ ମୁରେଙ୍ଗି ତାଙ୍କର ଜମା ଟଙ୍କା ମାଗିଥିଲେ। ହେଲେ ଏଜେଣ୍ଟ ଲାବଣ୍ୟ ଧରାଛୁଆଁ ଦେଇ ନଥିଲେ। ମୁରେଙ୍ଗିଙ୍କ ପୁଅ ଦାମୋଦର ମଧ୍ୟ ବାରମ୍ବାର ଏଜେଣ୍ଟଙ୍କ ଘରକୁ ଯାଇଥିଲେ। ତଥାପି ତାଙ୍କୁ ଭେଟି ପାରି ନଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ଗ୍ରହଣ କରି ନଥିଲା। ପରେ ସେ ୨୦୧୪ରେ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ମାମଲା ରୁଜୁ କରି ଏଜେଣ୍ଟ ଲାବଣ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନ୍ ପାଇଥିଲେ। ବ୍ରହ୍ମପୁର ଚିଟ୍‌ଫଣ୍ଡ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ୧୧ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତି କରି ପ୍ରମାଣ ଅଭାବ ‌ଯୋଗୁଁ ଲାବଣ୍ୟଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇଛି। ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ସୁଦର୍ଶନ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର