ପୁଣି ଚର୍ଚ୍ଚାରେ ଭଂଜନଗର ଜେଲ୍‌:ବେଧଡ଼କ ଚାଲିଛି ଅପରାଧ ନେଟ୍‌ଓ୍ଵର୍କ

ଗଡ଼ିଲା ଡେଡ୍‌ଲାଇନ୍‌, ନୂଆ ଜେଲ୍‌ ହସ୍ତାନ୍ତର ହେଲାନି
ଭଂଜନଗର: ବହୁଚର୍ଚ୍ଚିତ ଚିକେନ୍‌ ରବି ହତ୍ୟା ମାମଲାର ଅଭିଯୁକ୍ତ ସୁଶାନ୍ତ ବିଷୋୟୀଙ୍କୁ ହତ୍ୟା ଯୋଜନା ଓ ଗତ ୮ ତାରିଖରେ ତାଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଭଂଜନଗର ସ୍ୱତନ୍ତ୍ର ଉପକାଗାରରେ ହୋଇଥିଲା। ପୁଲିସର ଏହି ଚାଞ୍ଚଲ୍ୟକର ତଥ୍ୟ ପରେ ପୁଣି ଚର୍ଚ୍ଚା ଘେରକୁ ଆସିଛି ଭଂଜନଗର ଜେଲ୍‌। ଅପରାଧୀ ମାନେ ବେଶ୍‌ ଆରାମ୍‌ରେ ଏଠାରୁ ସେମାନଙ୍କ ଅପରାଧ ନେଟ୍‌ଓ୍ଵର୍କକୁ ପରିଚାଳିତ କରୁଥିବା ଏଥିରୁ ପ୍ରମାଣିତ ହୋଇଛି। ଫଳରେ ୨୦୧୩ ମସିହା ଫେବୃଆରୀ ୧୨ ତାରିଖରେ ଏଠାରେ କାଳିଆ ସ୍ୱାଇଁଙ୍କୁ ହତ୍ୟା ଭଳି ଘଟଣାର ପୁଣି ପୁନରାବୃତ୍ତି ହେବ କି ?, ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ସୁରକ୍ଷାକୁ ନେଇ ପୁଣି ଥରେ ବିରାଟ ପ୍ରଶ୍ନବାଚୀ ମନରେ ଉଙ୍କି ମାରିବାରେ ଲାଗିଛି ।
ତେବେ ୧୮୨ ବର୍ଷ ପୁୁରୁଣା ଏହି ଜେଲ୍‌ରେ ଅନେକ ଲୋମହର୍ଷଣକାରୀ ଘଟଣା ଘଟିଥିବାର ନଜିର୍‌ ରହିଛି। ୧୯୯୭ ମସିହାରେ ୬ଜଣ ଅଭିଯୁକ୍ତ ଜେଲ କର୍ମଚାରୀଙ୍କୁ ମାଡ଼ ମାରି ତାଙ୍କୁ ସେଲରେ ପଶାଇ ଫେରାର ହେବା ୨୦୦୭ରେ ଅଭିଯୁକ୍ତ ପୁନିଆ ନାୟକ, ୨୦୧୩ରେ ଅଭିଯୁକ୍ତ ବିଶ୍ୱନାଥ ସ୍ୱାଇଁ ଜେଲ କାନ୍ଥ ଡେଇଁ ଚମ୍ପଟ ମାରିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ବର୍ତମାନ ପୁଣି ଥରେ ଅପରାଧୀ ମାନେ ସେମାନଙ୍କ ନେଟ୍‌ଓ୍ଵର୍କକୁ ସକ୍ରିୟ କରିବା କର୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଫଳରେ ଏହି ଘଟଣା ପରେ ସୁରକ୍ଷାକୁ ନେଇ ଭିତ୍ତିଭୂମି ବିକାଶକୁ କର୍ତୃପକ୍ଷ କେତେଦୂର ଗୁରୁତ୍ୱର ସହ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଛି ।
ମରାଠୀ ସାହି ଓ ଗାନ୍ଧି କୈଳାସ ପାହାଡ଼ ମଧ୍ୟରେ ଥିବା ଏହି ଜେଲ୍‌ରେ ୨୧୦ରୁ ୨୩୦ ଅପରାଧୀ ରହୁଛନ୍ତି। ହେଲେ କଏଦୀ ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଭିିତ୍ତିଭୂମି ସୁବିଧା ନାହିଁ। ୧୫ରୁ ୨୦ଜଣ ହାର୍ଡକୋର ଅପରାଧୀ ଓ ଜଣେ ନକ୍ସଲଙ୍କୁ ଏଠାରେ ରଖାଯାଇଛି। ସୁରକ୍ଷାକୁ ଆଖି ଆଗରେ ରଖି ସିସି କ୍ୟାମେରା ଖଞ୍ଜାଯାଇଥିବା ଏପିଆର୍‌ ଫୋର୍ସ ଗାର୍ଡ ମଧ୍ୟ ମୁତୟନ କରାଯାଇଛି। ତଥାପି ଏଠାରେ ପ୍ରତିଟି ମୂହୁର୍ତରେ ଭୟର ବାତାବରଣ ଦେଖା ଦେଇଥାଏ। ରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜେଲ ଥିବାରୁ ଜାମର ବ୍ୟବସ୍ଥା ସମ୍ଭବପର ହେଉନାହିଁ । ଜେଲ ନିରୀକ୍ଷଣ ପାଇଁ ଟାଓ୍ଵାର ମଧ୍ୟ ନାହିଁ । ୧୪ ଫୁଟ୍‌ ଉଚ୍ଚର ପାଚେରୀକୁ ଛାଡ଼ି ଦେଲେ ସେପରି ଆଉ ବିଶେଷ କିଛି ସୁରକ୍ଷା ବ୍ୟବସ୍ଥା ନାହିଁ । ଫଳରେ ଅନାୟସରେ ଗୁଟ୍‌ଖା, ମୋବାଇଲ୍‌ଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଜେଲ୍‌ ଭିତରକୁ ଯାଇପାରୁଛି। କଏଦୀ ମାନେ ବେଶ୍‌ ଆରାମରେ ଏହାର ସୁବିଧା ଉଠାଉଛନ୍ତି। ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ ଚଢଉ ବି ହେଉନି।
୪ ବର୍ଷ ତଳେ ଫାଇଲିନ୍‌ ପରେ ଏହି ଜେଲ୍‌ର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିଲା। ବହୁ ସେଲ୍‌ର ଟିଣ ଭାଙ୍ଗିରୁଜି ଯାଇଛି। ଫଳରେ ଲଘୁଚାପ ବର୍ଷା ଓ ବାତ୍ୟା ସଂକେତ ଆସିବା ମାତ୍ରେ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ଚିନ୍ତା ବଢିଯାଉଥିଲା। ଫଳରେ ନୂଆ କୋଠା ନିର୍ମାଣ ହୋଇ ଚଳିତବର୍ଷ ଜାନୁଆରୀ ମାସରେ ଏହା ହସ୍ତାନ୍ତର ହେବାର ଥିଲା। କିନ୍ତୁ ବର୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନି। ଆସନ୍ତାମାସରେ ଏହା ହସ୍ତାନ୍ତର ହେବା ସମ୍ଭାବନା ରହିଛି ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର